ପୋଲିସକୁ ବଡ଼ ସଫଳତା : ୪ ଆନ୍ତଃ ଜିଲା ଚୋର ଗିରଫ, ୧୨ ବାଇକ ଜବତ
ବାଲେଶ୍ୱର : ନୀଳଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ହାତରେ ଧରାପଡିଛନ୍ତି ବାଇକ୍ ଚୋରିର ବଡ଼ ରାକେଟ୍ । ୧୨ଟି ଚୋରି ବାଇକ୍ ସହ ୪ ଆନ୍ତଃ ଜିଲା ଚୋରଙ୍କୁ ଗିରଫ କରାଯାଇଛି । ଏନେଇ ନୀଳଗିରି ଥାନାରେ ମାମଲା (ନଂ. ୨୫୫/୨୧) ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ନୀଳିଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଯେ, ନୀଳଗିରି ଅଞ୍ଚଳରେ ବାଇକ୍ ଚୋରି ବଢିବାରେ ଲାଗିଥିଲା । ଯାହାର ସୂଚନା ପାଇଥିଲା ପୋଲିସ । ଏନେଇ ନୀଳଗିରି ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ ୧୨ଟି ଚୋରି ବାଇକ୍ ଜବତ ସହ ୪ଜଣ ଚୋରଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳର ଲିଟୁ ମଲିକ, ଚିତ୍ତରଞ୍ଜନ ମଲିକ, ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ଜଗବନ୍ଧୁ ଜେନା ଓ ଶଶିକାନ୍ତ ଜେନା ରହିଛନ୍ତି । ଖନ୍ତାପଡ଼ା ଥାନା ଅଞ୍ଚଳରୁ ୭ଟି ବାଇକ ଓ ଭଦ୍ରକ ଅଞ୍ଚଳରୁ ୫ଟି ବାଇକ ଜବତ କରାଯାଇଥିବାର ତଦନ୍ତକାରୀ ଅଧିକାର ଅନନ୍ତ ମୁର୍ମୁ ସୂଚନା ଦେଇଛନ୍ତି ।
