ଓଡ଼ିଶାକୁ ପୁଣି ବାତ୍ୟାର ଭୟ
- ୧୦ ପରେ ଗତିପଥ ଜଣାପଡ଼ିବ, ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ
ଭୁବନେଶ୍ୱର : ବାତ୍ୟା ଡର ମାଡ଼ି ଆସିଲାଣି । ଗତ କିଛି ବର୍ଷ ଭଳି ଏଥର ମଧ୍ୟ ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ ଘାରିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଏହା ବାତ୍ୟାର ପରିଣତ ହେବ ବୋଲି ଗୋଟିଏ ମଡେଲ୍ କହୁଥିବା ବେଳେ ଆଉ ଏକ ମଡେଲ୍ କହୁଛି ବାତ୍ୟା ହେବନି। କିନ୍ତୁ ପ୍ରବଳ ବର୍ଷା ହେବ। ବାତ୍ୟା ହେଉ କି ବର୍ଷା ଯାହା ହେବ ଦଶହରା ବେଳେ ହିଁ ହେବ ବୋଲି ସବୁ ମଡେଲ୍ ଦେଖାଉଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଏଥିସହିତ ଆଉ ଏକ ଲଘୁଚାପ ୧୨ ତାରିଖ ସୁଦ୍ଧା ସୃଷ୍ଟି ହେବ । ଉଭୟ ଲଘୁଚାପ ମିଶି ଆଣ୍ଡାମାନ ଉପକୂଳରେ ୩ରୁ ୪ ଦିନ ରହି ବଳ ଗୋଟାଇବ । ଏହି ବାତ୍ୟାର ପ୍ରଭାବରେ ଗଞ୍ଜାମ , କୋରାପୁଟ , ମାଲକାନଗିରି , ମଧ୍ୟଦେଇ ଗଜପତି , ରାୟଗଡ଼ା , ନୟାଗଡ଼ , କନ୍ଧମାଳ ଆଦି ଜିଲାରେ ପବନ ସହିତ ପ୍ରବଳ ବର୍ଷା ହେବ । ବାତ୍ୟା ଯଦି ଏହାର ଗତିପଥ ପରିବର୍ତ୍ତନ କରିବ ତେବେ ପୁରୀ , ଜଗତ୍ସିଂହପୁର , କେନ୍ଦ୍ରାପଡ଼ା , ଯାଜପୁର , କଟକ ଆଦି ଜିଲାରେ ପ୍ରବଳ ପବନ ହେବା ସହ ବର୍ଷା ହେବ ବୋଲି ଅନୁମାନ କରାଯାଇଛି ।
କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁମାନ ଅନୁସାରେ, ଦୁଇଟି ଘୂର୍ଣ୍ଣିବଳୟ କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହେବ । ଏବେ ଗୋଟିଏ ମ୍ୟାଁମାର୍ ଉପରେ ରହିଛି, ଯାହା ୧୧ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବ । କେନ୍ଦ୍ରୀୟ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ତାପମାତ୍ରା ଏବଂ ଉପର ବାୟୁମଣ୍ଡଳର ସ୍ଥିତି ଏମିତି ରହିଛି ଯେ ଲଘୁଚାପ ଘନୀଭୂତ ହେବ । ଏହା ବାତ୍ୟା ରୂପ ନେବା ଆଶଙ୍କା ବି ରହିଛି । ଗତିପଥ ରହିବ ଉତ୍ତର-ଉତ୍ତର ପଶ୍ଚିମ । ଏପରି ହେଲେ ଆନ୍ଧ୍ରପ୍ରଦେଶର କାକିନାଡ଼ାରୁ ଗୋପାଳପୁର ଭିତରେ ବାତ୍ୟା ମାଡ଼ ହୋଇ ପାରେ। ଯାହା ହେଲେ ବି ଓଡ଼ିଶାରେ ୧୩ ତାରିଖ, ଅର୍ଥାତ୍ ଅଷ୍ଟମୀ ଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୪ ତାରିଖ କିମ୍ବା ୧୫ ତାରିଖରେ ମାଡ଼ ହୋଇପାରେ ବାତ୍ୟା । ୧୫, ୧୬ ଓ ୧୭ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ଦ୍ୱିତୀୟଟି ଏବେ ଦକ୍ଷିଣ ଚୀନ ସାଗରରେ ରହିଛି । ବାତ୍ୟା ରୂପ ନେଇ ଏହା ଭିଏତନାମ, କାମ୍ବୋଡ଼ିଆ, ଥାଇଲାଣ୍ଡ ଉପସାଗର ଏବଂ ମ୍ୟାଁମାର୍ ଅତିକ୍ରମ କରି ପ୍ରାୟ ଏକା ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ପ୍ରବେଶ କରିବ । ଏହା ବି ଘନୀଭୂତ ହେବା ପାଇଁ ଅନୁକୂଳ ପାଗ ରହିଛି । ଯଦି ପ୍ରଥମଟି ବିଶେଷ ଘନୀଭୂତନ ହୁଏ ଦ୍ୱିତୀୟ ଘନୀଭୂତ ହୋଇ ଆନ୍ଧ୍ର ମୁହାଁ ଗତି କରିବ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା କିମ୍ବା ଗଭୀର ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ତେବେ ବାତ୍ୟା କେବେ ଓ କେଉଁଠି ହେବ, ତାହା ଏବେଠୁ କହିବା ସମ୍ଭବ ନୁହଁ । ୧୩ ତାରିଖ ବେଳକୁ ଗତି ଆରମ୍ଭ ହେବ । ଓଡ଼ିଶା ପ୍ରତି ପ୍ରଭାବର ଆଶଙ୍କାକୁ ଏଡ଼ାଇ ଦିଆ ନ ପାରେ ।
