ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆସନ୍ତାକାଲି ଠାରୁ ନନ୍ଦନକାନନରେ ଗଡ଼ିବ ଶିଶୁ ରେଳଗାଡି
ଭୁବନେଶ୍ଵର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଠାରୁ ନନ୍ଦନକାନନରେ ଚାଲିବ ପୁଣି ଥରେ ଶିଶୁ ରେଳ ଗାଡି । ଏହା ସହିତ ଦୀର୍ଘ ବର୍ଷ ଧରି ବନ୍ଦ ପଡିଥିବା (ରୋପ ଓ୍ଵେ) କାର୍ଯ୍ୟର ଶୁଭାରମ୍ଭ କରିବେ ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖ୍ । ଅତ୍ୟାଧୁନିକ ଟଏ ଟ୍ରେନ ପ୍ରଚଳନ ପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ ରୋପଓ୍ଵେ କାର୍ଯ୍ୟ ପାଇଁ ସ୍ଥାନ ନିରୂପଣ ସହିତ ପରିବେଶ ମଞ୍ଜୁରୀ କାର୍ଯ୍ୟ ସମାପ୍ତ ହୋଇଛି ।
ନନ୍ଦନକାନନରେ ପୁଣି ଗଡିବ ୪ ଟିକିଆ ବଗି ବିଶିଷ୍ଟ ଅତ୍ୟାଧୁନିକ ବୁଲେଟ ଟ୍ରେନ। ୪୦ ମିନିଟରେ ପ୍ରାୟ ୨.୮୦୦ କିଲୋ ମିଟର ଜଙ୍ଗଲୀ ରାସ୍ତାରେ, ଏହି ଅତ୍ୟାଧୁନିକ ବୁଲେଟ ଟ୍ରେନ ଚଳାଚଳ କରିବ । ଏଥିରେ ଏକା ଥରକେ ୭୨ଜଣ ପର୍ଯ୍ୟଟକ ବସି ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ଦେଖିବା ସହିତ ଜଙ୍ଗଲୀ ଜନ୍ତୁ ଖୋଲାଖୋଲି ବିଚରଣ କରୁଥିବାର ଦୃର୍ଶ୍ୟ ଦେଖି ପାରିବେ । ଏହା ସତିତ ସରୀସୃପ ପାର୍କ, ଜଳ ହସ୍ତୀ ଖୁଆଡ, କାଞ୍ଜିଆ ହ୍ରଦର ପ୍ରାକୃତିକ ଦୃଶ୍ୟ ଦେଖି ପର୍ଯ୍ୟଟକ ମଜା ଉଠାଇ ପାରିବେ। ଅନ୍ୟପକ୍ଷରେ ନନ୍ଦନକାନରେ ଥିବା ରୋପ ଓ୍ଵେ ଗତ ୨୦୧୧ରୁ ବନ୍ଦ ହୋଇ ପଡିଛି । ଏହାକୁ ପୁନଃପ୍ରଚଳନ ପାଇଁ ଗତ ୨୦୧୮ ରୁ ଟେଣ୍ଡର ହୋଇ ଥିଲେ ମଧ୍ୟ ପରିବେଶ ମଞ୍ଜୁରୀ ପାଇଁ କାମ ଅଟକି ରହିଥିଲା । ଏବେ ପରିବେଶ ମଞ୍ଜୁରି ମିଳିବା ସହିତ ସ୍ଥାନ ନିରୂପଣ ମୂର୍ତ୍ତିକା ପରୀକ୍ଷା କାମ ଶେଷ ହୋଇଛି । ଆସନ୍ତା ୮ ତାରିଖରେ ବିଭାଗୀୟ ମନ୍ତ୍ରୀଙ୍କ ଦ୍ଵାରା ଏହାର ଭିତ୍ତି ପ୍ରସ୍ତର କରାଯିବା ନେଇ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
