ଲଖିମପୁର ଖେରି ହିଂସା ଘଟଣା : ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡ ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ନିଜ ଆଡ଼ୁ ଶୁଣାଣି କରିବେ ସୁପ୍ରିମକୋର୍ଟ। ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏନେଇ ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣି ହେବ।
ସେହିପରି ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ଆଜି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଟ୍ବିଟ କରି ଅନୁରୋଧ କରିଥିଲେ । ସୋସିଆଲ ମିଡିଆ ନଥିବା ସମୟରେ ବି ବିଭିନ୍ନ ମାମଲାରେ ସୁପ୍ରିମକୋର୍ଟ ନିଜଆଡ଼ୁ ହସ୍ତକ୍ଷେପ କରିବାର ନଜିର ରହିଛି । ସମ୍ବାଦପତ୍ର ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ପୂର୍ବରୁ ହସ୍ତକ୍ଷେପ କରିଛନ୍ତି ଓ ଦୁର୍ବଳ ଲୋକଙ୍କ ଗୁହାରି ଶୁଣିଛନ୍ତି । ଏଥର ନାଗରିକ ମାନଙ୍କୁ ଗାଡ଼ି ଚଢାଇ ହତ୍ୟା କରାଯାଇଛି । ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ ବୋଲି ସେ ଟୁଇଟ କରିଥିଲେ । ସୂଚନା ଯେ, ଖେରୀ ହିଂସା ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କୁ ନେଇ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ଲଖିମପୁରର ଖେରୀ ହିଂସାରେ ଚାଷୀଙ୍କ ମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢ଼ାଇଦେବା ଅଭିଯୋଗ ହୋଇଥିଲା। ଏଥିରେ ପ୍ରଥମେ ଘଟଣାସ୍ଥଳରେ ଦୁଇଜଣ କୃଷକଙ୍କର ମୃତ୍ୟୁ ଘଟି ଥିବା ବେଲେ ଏକାଧିକ ଆହତ ହୋଇଥିଲେ । ଅଦ୍ୟାବଧି ଏହି ହିଂସାକାଣ୍ଡରେ ମୋଟ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଯେଉଁଥିରେ ୪ ଜଣ କୃଷକ ଓ ଜଣେ ସାମ୍ବାଦିକ ଅଛନ୍ତି । ଏହି ଘଟଣାକୁ କେନ୍ଦ୍ରକରି ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା। ଲଖିମପୁର ଖେରୀର ଟିକୁନିଆରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କ ସହ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଆଶିଷ ମିଶ୍ର ତାଙ୍କ ଗାଡ଼ିରେ ଯାଉଥିଲେ। ସେଠାରେ ଆନ୍ଦୋଳନରତ କୃଷକମାନେ ତାଙ୍କ ଗାଡ଼ି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ତାଙ୍କ କାର ଚଢ଼ାଇ ଦେଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଥିଲା।
