ଆଇପିଏଲ-୨୦୨୧ : ବାଙ୍ଗାଲୋର ବିପକ୍ଷରେ ୪ ରନରେ ହାଇଦ୍ରାବାଦ ବିଜୟୀ
ୟୁଏଇ : ଇଣ୍ଡିଆନ ପ୍ରିମିୟର ଲିଗ୍ ଆଇପିଏଲର ବୁଧବାର ୫୨ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର । ଏଥିରେ ହାଇଦ୍ରାବାଦ ବୋଲରଙ୍କ ଆଗରେ ଫିକା ପଡିଲେ ବିରାଟ ବାହିନୀ । ଫଳରେ ୪ ରନରେ ବିଜୟୀ ହୋଇଛି ହାଇଦ୍ରାବାଦ ।
ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋହଲିଙ୍କ ଆର୍ସିବି । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ହାଇଦ୍ରାବାଦ ସଂଗ୍ରହ କରିଛି ୧୪୧ ରନ । ଓପନର ଜେସନ ରୟଙ୍କ ଦର୍ଶନୀୟ ଇଂନିସ ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି । ବାଙ୍ଗଲୋରକୁ ଜିତିବାକୁ ହେଲେ ୧୪୨ ରନ କରିବାକୁ ହେବ । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଓପନର ଜେସନ ରୟ ଭଲ ଆରମ୍ଭ କରିଥିଲେ । ସେ ୪୪ ରନ କରି ଆଉଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଶର୍ମା ୧୩, ଅଧିନାୟକ କେନ୍ ଓ୍ବିଲିୟମସନ୍ ୩୧, ପ୍ରିୟମ ଗର୍ଗ ୧୫, ଅବଦୁଲ ସମାଦ ୧, ରିଦ୍ଧିମାନ ଶାହା ୧୦ ରନ କରି ଆଉଟ ହୋଇଛନ୍ତି । ଜେସନ ହୋଲଡର ୧୬ ରନକରି ଆଉଟ ହୋଇଛନ୍ତି । ରାସିଦ ଖାନ ୭ ରନ କରି ଅପରାଜିତ ଅଛନ୍ତି । ଆର୍ସିବି ପକ୍ଷରୁ ସେହବାଜ ଅହମ୍ମଦ ୪ ଓଭରରେ ୨୧ରନ ଦେଇଥିବା ବେଳେ, ୟୁଜବେନ୍ଦ୍ର ଚହଲ ୪ ଓଭରରେ ୨୭ରନ ୧ ଓ୍ବିକେଟ, ଜର୍ଜ ଗାର୍ଟୋନ୍ ୨ ଓଭରରେ ୨୯ରନ ୧ ଓ୍ବିକେଟ, ହର୍ଷଲ ପଟେଲ ୪ ଓଭରରେ ୩୩ ରନ ୩ ଓ୍ବିକେଟ, ଡାନ୍ କ୍ରିଷ୍ଟିଆନ୍ ୩ ଓଭରରେ ୧୪ରନ ୨ ଓ୍ବିକେଟ ଏବଂ ମହମ୍ମଦ ସିରାଜ ୩ ଓଭରରେ ୧୭ ରନ ଦେଇଛନ୍ତି ।
