ବାଇକ୍-ଟେମ୍ପୋ ମୁହାଁମୁହିଁ : ଜଣେ ମୃତ ଓ ଜଣେ ଗୁରୁତର, ଘଟଣାସ୍ଥଳରେ ଚାପା ଉତ୍ତେଜନା
ବାଲେଶ୍ୱର : ବାଲେଶ୍ୱର ଜିଲା ସେରଗଡ଼-ଉଦଳା ୧୯ନଂ ରାଜ୍ୟ ରାଜପଥ ନୀଳଗିରି ବସଷ୍ଟାଣ୍ଡ ନିକଟ ବାଲିଗୋହିରୀ ଛକ ଠାରେ ଟେମ୍ପୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଅତି ଗୁରୁତର ରହିଛନ୍ତି । ଗୁରୁତରକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା ।
ସୂଚନା ଯେ, ନୀଳଗିରି ଏନ୍ଏସି ୯ ନମ୍ବର ୱାର୍ଡ଼ ସିମୁଳିଆ ଗ୍ରାମର ରବୀନ୍ଦ୍ର ମହଲ ଓ କାହାଳିଆ ଗ୍ରାମର ସତ୍ୟରଞ୍ଜନ ନାୟକ ଗୋଟିଏ ବାଇକ୍ରେ ନୀଳଗିରି ଅଭିମୁଖେ ଯାଉଥିଲେ । ଏହି ସମୟରେ ଅପରପକ୍ଷରୁ ନୀଳଗିରିରୁ ବାଲେଶ୍ୱର ଅଭିମୁଖେ ଏକ ତିନିଚକିଆ ଟେମ୍ପୋ ଦ୍ରୁତ ଗତିରେ ଯାଉଥିବା ବେଳେ ବାଲିଗୋହିରି ଛକ ନିକଟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଭାରସାମ୍ୟ ହରାଇ ରବୀନ୍ଦ୍ର ମହଲ ଉପରେ ଟେମ୍ପୁଟି ଚଢ଼ି ଯାଇ ଆଗରେ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ରବୀନ୍ଦ୍ରର ମୃତ୍ୟୁ ହୋଇଥିଲା । ମୋଟରସାଇକେଲ ପଛରେ ବସିଥିବା ସତ୍ୟରଞ୍ଜନ ଗୁରୁତର ଅବସ୍ଥାରେ ଥିବାବେଳେ ତାଙ୍କୁ ଅଗ୍ନିଶମ ବିଭାଗର ସହଯୋଗରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ସେଠାରେ କିଛି ସମୟ ପାଇଁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବେଶ୍ କିଛି ସମୟ ଚାପା ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ନୀଳଗିରି ପୋଲିସ ଯାଇ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି ।


