ଡ୍ରଗ୍ସ ପାର୍ଟି ମାମଲା : ୭ ପର୍ଯ୍ୟନ୍ତ ଏନସିବି ରିମାଣ୍ଡକୁ ଗଲେ ଆର୍ଯ୍ୟନ
ମୁମ୍ବାଇ : କ୍ରୁଜ୍ ରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ ଖାନ୍ ଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ମୁମ୍ବାଇ କୋର୍ଟ ଏନସିବି ହେପାଜତକୁ ପଠାଇଛନ୍ତି । ଏହା ବ୍ୟତୀତ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ୍ ସେଠ୍ ମର୍ଚାଂଟ ଏବଂ ମୁମୁନ୍ ଧାମଚାଙ୍କ ରିମାଣ୍ଡକୁ ମଧ୍ୟ ବୃଦ୍ଧି କରାଯାଇଛି । ସେମାନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ରହିବାକୁ ପଡ଼ିବ ।
କୋର୍ଟ କହିଛନ୍ତି ଯେ, ଏହି ଘଟଣାରେ ଅନୁସନ୍ଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସତ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ଏନସିବିର ପଚରାଉଚରା ଜରୁରୀ । ସେଥିପାଇଁ ଅକ୍ଟୋବର ୭ପର୍ଯ୍ୟନ୍ତ ଆର୍ଯ୍ୟନ ଖାନ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ହେପାଜତକୁ ପଠାଯାଉଛି । ଅଦାଲତରେ ଶୁଣାଣି ସମୟରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ଯୁକ୍ତି କରିଥିଲେ ଯେ, ଯଦିଓ ମାମଲା ଜାମିନ ବିହୀନ, ତଥାପି ଏହାକୁ ସମର୍ଥନ କରିବା ପାଇଁ ତଥ୍ୟ ଏବଂ ପ୍ରମାଣ ରହିବା ଉଚିତ୍ । ଆର୍ଯ୍ୟନଙ୍କ ହ୍ୱାଟସଆପ ଚାଟରେ ଆନ୍ତର୍ଜାତୀୟ ଡ୍ରଗ୍ ରାକେଟ୍ ସହ ଜଡିତ ତଥ୍ୟ ମିଳିବା ନେଇ ମନେଶିନ୍ଦେ କହିଛନ୍ତି ଯେ, ଏନ୍ସିବି ଅତ୍ୟଧିକ ଗୁରୁତର ଅଭିଯୋଗ କରୁଛନ୍ତି । କିନ୍ତୁ ଏନେଇ ପ୍ରମାଣ ଥିବା ଦରକାର । ଅଦାଲତ ଆର୍ଯ୍ୟନଙ୍କ ଚାଟ୍ ଦେଖିପାରିବେ । ସେଥିରେ ସେ ଡ୍ରଗ୍ ବିଷୟରେ କଥା ହୋଇନାହାନ୍ତି । ଅନ୍ୟଠାରୁ ଜବତ କରାଯାଇଥିବା ଜିନିଷ ଆର୍ଯ୍ୟନଙ୍କ ବିରୋଧରେ ବ୍ୟବହାର କରାଯାଇପାରିବ ନାହିଁ । ଉଲ୍ଲେଖ୍ୟଯୋଗ୍ୟ ଯେ ଏନସିବିର ଏକ ଟିମ୍ ଶନିବାର ସନ୍ଧ୍ୟାରେ ଗୋଆ ଅଭିମୁଖେ ଯାଉଥିବା କଣ୍ଡେଲିଆ କ୍ରୁଜ୍ ଜାହାଜ ଉପରେ ଚଢାଉ କରିଥିଲେ ଏବଂ ପାର୍ଟି କରୁଥିବା କିଛି ଯାତ୍ରୀଙ୍କଠାରୁ ଡ୍ରଗ୍ସ ମଧ୍ୟ ଉଦ୍ଧାର କରିଥିଲେ । ଏନସିବି ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ସମେତ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ୩ ଜଣଙ୍କୁ ଗିରଫ କରିଥିଲା ।
