ଏଣିକି ମାଗଣାରେ ଏସ୍ସି/ଏସ୍ଟି ଛାତ୍ରଛାତ୍ରୀ ପାଇବେ ଇଞ୍ଜିନିୟରିଂ ଓ ମେଡ଼ିକାଲ ପ୍ରବେଶିକା ପାଇଁ ସ୍ୱତନ୍ତ୍ର କୋଚିଂ
- ଛାତ୍ର ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର : ଭର୍ଚୁଆଲ ମୋଡ୍ ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ ଜଣ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ପବେଶିକା ପରୀକ୍ଷା ନିମନ୍ତେ ମାଗଣାରେ କୋଚିଂ ଦିଆଯିବ । ଏହି ‘ଛାତ୍ର ପ୍ରୋତ୍ସାହନ ଯୋଜନା’ ଦ୍ୱାରା ଦଶମ ଶ୍ରେଣୀର ମେଧାବୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ତରୁଣ ବୟସରୁ ପ୍ରୋତ୍ସାହିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏକ ଅନ୍ତର୍ଭୁକ୍ତିକରଣ ଆଭିମୁଖ୍ୟ ମାଧ୍ୟମରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିବେଶରେ କୋଚିଂ ପ୍ରଦାନ କରାଯିବ । ଏହି ଅବସରରେ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ ନିମନ୍ତେ ମନୋନୀତ କୋଚିଂ ଏଜେନ୍ସି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଏଜେନ୍ସିଗୁଡ଼ିକ ପ୍ରତ୍ୟକ୍ଷ ଭାବେ ମେଡିକାଲ ଓ ଇଂଜିନିୟରିଂ କୋଚିଂ ପ୍ରଦାନ କରିବେ ଓ ମନୋନୀତ ଛାତ୍ରଛାତ୍ରୀଙ୍କୁ ୭ଟି ଉତ୍କର୍ଷ କେନ୍ଦ୍ରରେ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଦେବେ।
ସଂପ୍ରତି ରାଜ୍ୟର ୧୪ଟି ଜିଲ୍ଲାରେ ବିଭାଗ ଦ୍ୱାରା ପରିଚାଳିତ ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରତ୍ୟେକ ବର୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଦେଇଥାନ୍ତି । ଏଥିସହ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ୭ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥି ପାଇଁ ମେଧା ଭିତିରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ହାଇସ୍କୁଲର ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବ । ଏହା ଦ୍ୱାରା ଦୁର୍ଗମ ଅଂଚଳରେ ରହୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବ ର୍ଗର ଛାତ୍ରଛାତ୍ରୀ ମାନେ ଉତ୍କୃଷ୍ଟ କୋଚିଂ ସୁବିଧା ପାଇପାରିବେ ଓ ସେମାନଙ୍କର ପ୍ରତିଭା ସମେତ ପ୍ରତିଯୋଗୀ ମନୋଭାବ ବିକଶିତ ହୋଇପାରିବ । ଆଜିର ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଭର୍ଚୁଆଲ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ଆଇଟିଡିଏ ପ୍ରକଳ୍ପ ଅଧିକାରୀବୃନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀବୃନ୍ଦ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସାଂସଦ ପାଣ୍ଠିରୁ ୨୦୦ଟି ଟାବଲେଟ୍ ପ୍ରଦାନ କରିଥିଲେ ।
