ଜିଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା : ୧୨୦୧୬ଟି ଏସ୍ଏଚ୍ଜିକୁ ୩୦୫.୭୦ କୋଟି ଟଙ୍କା ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ତରଫରୁ ସୋମବାର ଜିଲାପାଳ ତଥା ମିଶନ ଶକ୍ତି ଜିଲା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ମିଶନ ଶକ୍ତି ଋଣ ମେଳାର ଆୟୋଜନ କରାଯାଇଥିଲା । ଏହାକୁ ମୁଖ୍ୟଅତିଥି ଜିଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ୪ଟି ବ୍ୟାଟେରୀ ଚାଳିତ ରିକ୍ସା (E-Rikshwaw) ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ସଦସ୍ୟାମାନଙ୍କୁ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ପ୍ରଦାନ କରାଯାଇଥିଲା ।
ମିଶନ ଶକ୍ତି ଋଣ ମେଳା ମାଧ୍ୟମରେ ବାଲେଶ୍ୱର ଜିଲାରେ ସମସ୍ତ ବ୍ଲକ ଓ ପୌର ପରିଷଦରେ ୨୦୨୧ ସେପ୍ଟେମ୍ବର ୩୦ ଏକ ଦିବସୀୟ ଏସ୍ଏଚ୍ଜିମାନଙ୍କୁ ଋଣ ସହାୟତା ତଥା ବିତରଣର ସ୍ୱତନ୍ତ୍ର ଲକ୍ଷ୍ୟ ହାସଲ ନିମିତ୍ତ ସମୁଦାୟ ୧୨୦୧୬ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩୦୫.୭୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ବ୍ୟାଙ୍କ ମଧ୍ୟମରେ ପ୍ରଦାନ କରାଯାଇଥିଲା । ଯାହାକି ଜିଲା ତଥା ରାଜ୍ୟରେ ଏକଦିବସୀୟ ସର୍ବାଧିକ ଏସ୍ଏଚ୍ଜିଙ୍କୁ ଋଣ ଦେବାରେ ସଫଳ ରେକର୍ଡ଼ । ବାଲେଶ୍ୱର ଜିଲାରେ ୧୨ଟି ବ୍ଲକ, ୧ଟି ପୌର ପରିଷଦ, ୩ଟି ବିଜ୍ଞାପିତ କ୍ଷେତ୍ର ପରିଷଦରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ବିନା ସୁଧରେ ଋଣ ଯୋଗାଇ ଦିଆଯାଇ ସେମାନଙ୍କର ଆର୍ôଥକ, ସାମାଜିକ ଓ ଜୀବିକାରେ ଉନ୍ନତି ନିମନ୍ତେ ମିଶନ ଶକ୍ତି ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି । ଏହି ଋଣ ସହାୟତାରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଯଥା- ଗ୍ରାମମ ପଞ୍ଚାୟତ ପୋଖରୀରେ ମାଛ ଚାଷ, ଅଣ୍ଡା ଦିଆ କୁକୁଡ଼ା ପାଳନ, ସ୍କୁଲରେ ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ, ହସପିଟାଲରେ ଖାଦ୍ୟ ବିତରଣ, ଛେଳି ପାଳନ, ଛତୁ ଚାଷ, ପରିବା ଚାଷ, ମହୁ ଚାଷ, ନଡ଼ିଆ ତେଲ ତିଆରି, ପତ୍ର ଥାଳି ପ୍ରସ୍ତୁତ, ଟେରାକୋଟା ନାମ, ବାଉଁଶ କାମ, ପଥର ମୂର୍ତ୍ତି କାମ, ସିଲେଇ ମେସିନ, ଚାନ୍ଦୁଆ ତିଆରି କାମ, ଝୋଟରେ କଣ୍ଢେଇ, ନଡ଼ିଆ କତା ଓ ସେଥିରେ କଣ୍ଢେଇ ଆଦି କାମ କରି ଆତ୍ମନିର୍ଭର ଓ ସାବଲମ୍ବୀ ହୋଇପାରିଛନ୍ତି । ଏହି ପରିପ୍ରେକ୍ଷୀରେ ଓରମାସ ଏବଂ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗର ମିଳିତ ସହଭାଗିତାରେ ଗଠିତ ବିଭିନ୍ନ ଉତ୍ପାଦକ ଗୋଷ୍ଠୀର ହାତ ତିଆରି ଗୃହ ସଜ୍ଜା ସରଞ୍ଜାମର ପ୍ରଦର୍ଶନ କରାଯାଇଥିଲା ।
ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲା ମିଶନ ଶକ୍ତି ସଂଯୋଜକ ରବୀନ୍ଦ୍ର କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିଏସ୍ଡବ୍ଲ୍ୟୁ କୁନ୍ତଳା କୁମାରି ମଲ୍ଲିକ, ଏଲ୍ଡିଏମ୍ ସୁଦୀପ ଡାକୁଆ, ଡିଡିଏମ୍ ନାବାର୍ଡ ତାପସ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ଋଣର ଉପକାରିତା, ସେମାନଙ୍କର ଭବିଷ୍ୟତ ଦୀର୍ଘସ୍ଥାୟୀ ଜୀବନ ଜୀବିକାର ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟାମାନଙ୍କର ବୀମା, ପେନସନ୍ ତଥା ଲଘୁ ଉଦ୍ୟୋଗ ସ୍ଥାପନ ସହ ତାର ସଫଳ ରୂପାୟନ ବିଷୟରେ ଆଲୋକପାତ କରିଥିଲେ । ବୈଠକରେ ଅନ୍ୟାନ୍ୟ ବିଭାଗର ଜିଲାସ୍ତରୀୟ ମୁଖ୍ୟ ଉପସ୍ଥିତ ରହି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ନିରବଚ୍ଛିନ୍ନ ସହଯୋଗର ନିତ୍ତର ପ୍ରତିଶ୍ରୁତି ଦେଇଥିଲେ ।
ଏହି ସଫଳତା ପାଇଁ ମୁଖ୍ୟ ଅତିଥି ଓ ଜିଲାପାଳ ଜିଲାର ସମସ୍ତ ବ୍ୟାଙ୍କ ଜିଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ କର୍ମଚାରୀ ସ୍ୱୟଂ ସହାୟକ ଗୋଷ୍ଠୀର ବ୍ଲକ ଓ ପଞ୍ଚାୟତସ୍ତରୀୟ ସଂଘର କର୍ମକର୍ତ୍ତା ତଥା ବିଶେଷ ଭାବେ ତୃଣମୂଳସ୍ତରରେ ଥିବା ମିଶନ ଶକ୍ତି ବିଭାଗର ଏମ୍ବିକେ, ବ୍ୟାଙ୍କ ମିତ୍ର, ସିଆର୍ପି-ସିଏମ୍, ଏଡବ୍ଲ୍ୟୁଡବ୍ଲ୍ୟୁ ମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଯଥାବିଧି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସହଯୋଗ ନିମନ୍ତେ ସାଧୁବାଦ ଜଣାଇଥିଲେ । ବ୍ୟାଙ୍କ ମାନଙ୍କର ଅକୁଣ୍ଠିତ ସହଯୋଗ ପାଇଁ ଉପସ୍ଥିତ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଓ ଜିଲା ସଂଯୋଜକମାନଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିବା ସହିତ ଆଗାମୀ ଦିନରେ ସେମାନଙ୍କର ଆବଶ୍ୟକୀୟ ସହଯୋଗ ଜାରି ରଖିବା ପାଇଁ ଅନୁରୋଧ କରିଥିଲେ । ବୈଠକରେ ଡିପିସି ମିଶନ ଶକ୍ତି ବିଶ୍ୱଜିତ୍ ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ । ଏପିଡି ଲାଇଭ୍ଲିହୁଡ୍ କୌଶିକ ପାତ୍ର ସଭାର ସଫଳତା ଓ ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପାଠ କରିଥିଲେ । ଡିପିଏମ୍, ଓଏଲ୍ଏମ୍ ଆଣ୍ଡ ଡିୱାଇ ସିଇଓ, ଓରମାସ ଜିତେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।
