ଆଇପିଏଲ-୨୦୨୧ : ପଏଣ୍ଟ ଟେବୁଲ ଶୀର୍ଷ ଲକ୍ଷ୍ୟରେ ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି
ଦୁବାଇ : ଆଇପିଏଲ୍ର ୫୦ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ସୁପର ପାୱାର ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । କହିବାକୁ ଗଲେ ଏକାପ୍ରକାରର ଗୁରୁ-ଶିଷ୍ୟ ଲଢେଇ ଦେଖିବାକୁ ମିଳିବ । ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ଲକ୍ଷ୍ୟରେ ଟସ ଜିତି ଦିଲ୍ଲୀ ଅଧିନାୟକ ବୋଲିଂ ନିଷ୍ପତ୍ତି ନେଇଛି। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ନେ ଉଭୟ ଦଳ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ସୁପରକିଙ୍ଗ୍ସ ୧୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ସମାନ ସଂଖ୍ୟକ ହାସଲ କରିଥିଲେ ହେଁ ରନ୍ ରେଟ୍ରେ ପଛରେ ରହି ଦ୍ୱିତୀୟ ସ୍ଥାନ ବଜାୟ ରଖିଛି । ଉଭୟ ଦଳ ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିସାରିଛନ୍ତି । ବିଜେତା ଦଳର ପଏଣ୍ଟ ସଂଖ୍ୟା ୨୦ରେ ପହଞ୍ଚିଯିବ । ଫଳରେ ଲିଗ୍ ପର୍ଯ୍ୟାୟର ଅସଲ ଶ୍ରେଷ୍ଠ ଦଳ ସ୍ପଷ୍ଟ ହୋଇଯିବ। ଏହି ମ୍ୟାଚ୍ ‘ଆଇପିଏଲ୍-୨୦୨୧’ ଦ୍ବିତୀୟ ଚରଣର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାର ମାନ୍ୟତା ବି ଲାଭ କରିଛି ।
ଆଇପିଏଲ୍-୨୦୨୧ର ୟୁଏଇ ପର୍ଯ୍ୟାୟରେ ଚେନ୍ନାଇ ଓ ଦିଲ୍ଲୀ ଆଧିପତ୍ୟ ଜାହିର କରିବା ସହ ପ୍ରଥମ ଦୁଇ ଦଳ ଭାବେ ପ୍ଲେ ଅଫ୍ରେ ପ୍ରବେଶ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପୂର୍ବ ମ୍ୟାଚ୍ରେ ଦିଲ୍ଲୀ ବିଜୟୀ ହୋଇଥିଲା। ରାଜସ୍ଥାନଠାରୁ ଚେନ୍ନାଇ ହାରିବା କିନ୍ତୁ ସମସ୍ତଙ୍କୁ ଚକିତ କରିଥିଲା। ଗାଏକ୍ବାଡ୍ଙ୍କ ସ୍ମରଣୀୟ ଶତକ ବଳରେ ଚେନ୍ନାଇ ୧୮୯/୪ ରନ୍ର ବିଶାଳ ସ୍କୋର କରିଥିଲା। ହେଲେ ଏହି ଦଳର ବୋଲରମାନେ ରାଜସ୍ଥାନକୁ ୧୯୦ ରନ୍ର ବଡ଼ ବିଜୟ ସହଜରେ ହାସଲ କରିନେବାକୁ ଦେଇଥିଲେ। ଏଣୁ ଶକ୍ତିଶାଳୀ ବ୍ୟାଟିଂ ବାହିନୀ ଥିବା ଦିଲ୍ଲୀ ସମ୍ମୁଖରେ ଚେନ୍ନାଇ ବୋଲର ପୁଣି ଥରେ ପରୀକ୍ଷାର ସମ୍ମୁଖୀନ ହେବେ। ଗତ ଦୁଇ ମ୍ୟାଚ୍ରେ ଅବଶ୍ୟ ଦିଲ୍ଲୀ ବ୍ୟାଟର୍ କିଛିଟା ସଂଘର୍ଷ କରିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ନିୟମିତ ୱିକେଟ୍ ହରାଇବା ପରେ ରନ୍ ସଂଗ୍ରହ ହାର ଆଶାଜନକ ଭାବେ ବଢ଼ାଇ ପାରି ନଥିଲା ଦିଲ୍ଲୀ। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗତମ୍ୟାଚ୍ରେ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଅଧିନାୟକ ଋଷଭ ପନ୍ତ ଓ ପୂର୍ବତନ ଅଧିନାୟକ ଶ୍ରେୟସ୍ ଆୟର ଦିଲ୍ଲୀକୁ ରକ୍ଷା କରିଥିଲେ। ତେବେ ଏହି ମ୍ୟାଚ୍ ସାରଜାର ମନ୍ଥର ପିଚ୍ରେ ଖେଳାଯାଇଥିଲା। ଦୁବାଇରେ ଏହି ସ୍ଥିତି ବଦଳି ପାରେ। କାରଣ ଏଠାକାର ପିଚ୍ ପାରମ୍ପରିକ ଭାବେ ବ୍ୟାଟର୍ଙ୍କୁ ସୁହାଇଥାଏ। ଶିଖର ଧାୱନ, ଷ୍ଟିଭେନ୍ ସ୍ମିଥ୍ ଓ ପୃଥ୍ବୀ ସ’ଙ୍କ ଭଳି ଖେଳାଳିଙ୍କୁ କିନ୍ତୁ ତୁଳନାତ୍ମକ ଭାବେ ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ। ସେପଟେ ଜୋସ୍ ହାଜେଲଉଡ୍, ଦୀପକ ଚହର, ଡ୍ବେନ୍ ବ୍ରାଭୋ ଓ ଶାର୍ଦୁଳ ଠାକୁରଙ୍କ ଭଳି ଚେନ୍ନାଇ ବୋଲରଙ୍କୁ ଆରମ୍ଭରୁ ଦିଲ୍ଲୀକୁ ଝଟ୍କା ଦେବାକୁ ପଡ଼ିବ। ଆହତ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ଅନୁପସ୍ଥିତିକୁ କିନ୍ତୁ ଦିଲ୍ଲୀ ନିଶ୍ଚିତ ଭାବେ ଅନୁଭବ କରିବ। ଦୁଇ ଦଳ ଅତୀତରେ ପରସ୍ପରକୁ ଭେଟିଥିବା ୨୪ ମ୍ୟାଚ୍ରେ କିନ୍ତୁ ଦିଲ୍ଲୀଠାରୁ ଚେନ୍ନାଇ ଢେର ଆଗରେ ରହିଛି। ଚେନ୍ନାଇ ସେଥିମଧ୍ୟରୁ ୧୫ ମ୍ୟାଚ୍ ଜିତିଥିଲା ବେଳେ ଦିଲ୍ଲୀ କେବଳ ୯ ମ୍ୟାଚ୍ ଜିତିଛି। ପୁରୁଖା ତଥା ପ୍ରେରଣାଦାୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ଏହି ଧାରାକୁ ଆଗେଇ ନେଇ ସୋମବାର ଦିଲ୍ଲୀ ବିପକ୍ଷରେ ଷୋଡ଼ଶ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ସୂଚନା ଯେ, ଗତ ଏପ୍ରିଲ ୧୦ ତାରିଖରେ ଉଭୟ ପ୍ରଥମ ମ୍ୟାଚ୍ ଖେଳିଥିଲେ । କ୍ୟାପିଟାଲ୍ସ ୭ ୱିକେଟ୍ରେ ଏହି ମ୍ୟାଚ୍ ଜିତିଥିଲା । ଏବେ ସୁପରକିଙ୍ଗ୍ସର ପାଳି । ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ସୁପରକିଙ୍ଗ୍ସ ପ୍ରୟାସ କରିବ । ଉଭୟ ଦଳର କ୍ଷମତାକୁ ନେଇ ପ୍ରଶ୍ନ ଉଠାଇବା ମୁର୍ଖାମୀ ହେବ । ୨ଟି ଯାକ ଦଳ ବର୍ତ୍ତମାନ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସୁପରକିଙ୍ଗ୍ସ ଓପନର ଋତୁରାଜ ଗାଏକୱାଡ ଶତକ ଅର୍ଜନ କରିଥିଲେ । ମ୍ୟାଚ୍ରେ ଉଭୟ ଦଳର ରଣନୀତି ଦର୍ଶକଙ୍କ ଉତ୍ସୁକତା ବଢାଇ ଦେବ । କାରଣ ଗୋଟିଏ ପଟେ ଗୁରୁ ମହେନ୍ଦ୍ର ସିଂ ଧୋନି ଅଧିନାୟକ ଓ ଅନ୍ୟ ପଟରେ ତାଙ୍କ ଶିଷ୍ୟ ରିଷଭ ପନ୍ତ କ୍ୟାପିଟାଲ୍ସ ଦଳର ନେତୃତ୍ତ୍ୱ ନେଉଛନ୍ତି ।
ସମ୍ଭାବ୍ୟ ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଋତୁରାଜ ଗାଏକ୍ବାଡ୍, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ଡ୍ବେନ୍ ବ୍ରାଭୋ, ଶାର୍ଦୁଳ ଠାକୁର, ସାମ୍ କରନ, ମୋଇନ ଅଲ୍ଲୀ, ରବୀନ୍ଦ୍ର ଜାଦେଜା, ଲୁଙ୍ଗି ଏନଗିଡ଼ି, କେ ଗୌତମ/ମିଚେଲ ସାଣ୍ଟନର।
ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ (ଅଧିନାୟକ), ଶ୍ରେୟସ୍ ଆୟର, ପୃଥ୍ବୀ ସ’, ଶିଖର ଧାୱନ, ସିମରନ୍ ହେଟମେୟର, ଷ୍ଟିଭ୍ ସ୍ମିଥ୍, ଅନରିକ ନର୍ଖିୟା, ଅଭେସ ଖାନ୍, କାଗିସୋ ରବାଦା, ଅକ୍ଷର ପଟେଲ, ଲଳିତ ଯାଦବ, ରବିଚନ୍ଦ୍ରନ୍ ଅଶ୍ବିନ।
