ଇଟାଲୀରେ ବିମାନ ଦୁର୍ଘଟଣାଗ୍ରସ୍ତ : ୮ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ରୋମ : ଇଟାଲୀରେ ବଡ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ । ମିଲନର ଲିନେଟ୍ ବିମାନବନ୍ଦରରୁ ଇଟାଲୀର ସର୍ଡ଼ିନିଆକୁ ଉଡ଼ାଣ ଭରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପରେ ଅଫିସ୍ ବ୍ଲକ୍ ଏବଂ ପାର୍କିଂରେ ଲାଗିଥିଲା ନିଆଁ । ତେବେ କଣ ପାଇଁ ଦୁର୍ଘଟଣା ଘଟିଲା ତାର ତଦନ୍ତ ଆରମ୍ଭ ହୋଇଛି । କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ସିଙ୍ଗଲ୍ ଇଞ୍ଜିନ୍ ପାଇଲାଟସ୍ PC-12 ତଳକୁ ଖସିଯିବା ପୂର୍ବରୁ ନିଆଁ ଲାଗିଯାଇଥିଲା ।
ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ମିଲନରେ ଥିବା ଦୁଇମହଲା ବିଶିଷ୍ଟ ଏକ ଅଫିସ୍ କୋଠାରେ ଖସିପଡ଼ି ଧକ୍କା ଖାଇଥିଲା । ଏହି ଅଫିସ୍ କୋଠା ଖାଲିଥିବା ବେଳେ ବିମାନରେ ଥିବା ୬ ଜଣ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ସୂଚନା ଯେ, ଚାର୍ଟଡ ପ୍ଲେନ ଚଳାଉଥିବା ବ୍ୟକ୍ତି ଜଣଙ୍କ ରୋମାନିଆ ବିଲିୟନେୟାର ୬୮ ବର୍ଷୀୟ ଡ୍ରାନ ପେଟ୍ରେସ୍କୁ । ସେ ତାଙ୍କ ପତ୍ନୀ ଏବଂ ପୁଅ ସହ ମୃତ୍ୟୁ ବରଣ କରିଛନ୍ତି ବୋଲି ଇଟାଲୀ ଗଣମାଧ୍ୟମ କହିଛି ।


