ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଟିକା ପ୍ରଦାନ ସୁରୁଖୁରୁରେ ଆଗେଇ ଚାଲିଛି
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ହମିରପୁର ଜିଲାକୁ ଗସ୍ତ କରି ସେଠାରେ ପାନ୍ଜୋତ୍ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଏକ ଜନସମାବେଶରେ ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଦେଶର ସମସ୍ତ ଯୋଗ୍ୟ ନାଗରିକଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ଦେଶବାସୀଙ୍କୁ କୋଭିଡ୍ ପ୍ରତିଷେଧକ ଟିକାକରଣ ଲାଗି ସରକାର ପ୍ରାୟ ୩୫ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସେହିପରି କରୋନା ମହାମାରୀ ସଙ୍କଟ ସମୟରେ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୮୦ କୋଟି ହିତାଧିକାରୀଙ୍କୁ ୧୫ ମାସ ଲାଗି ମାଗଣାରେ ରାସନ ଯୋଗାଇ ଦେଇ ବିଶ୍ୱସ୍ତରରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେହିଭଳି ଗତ ୭ ମାସ ମଧ୍ୟରେ ସରକାର ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛନ୍ତି। ଏହିସବୁ ଅଞ୍ଚଳରେ ଅତ୍ୟାଧୁନିକ ଢାଞ୍ଚାରେ ରାଜପଥ ନିର୍ମାଣ କରାଯିବା ସହ ମୌଳିକ ଢାଞ୍ଚାଗତ ସୁବିଧା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସର୍ବାଧିକ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି।
ସେ କହିଛନ୍ତି, ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ସମୟରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସୁଫଳ ଏବେ ମଧ୍ୟ ଗ୍ରାମାଞ୍ଚଳର ଲୋକଙ୍କୁ ଉପଲବ୍ଧ ହେଉଛି। ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳ ଭାରତର ଭାଗ୍ୟ ପରିବର୍ତ୍ତନ ହେବା ସହ ଗମନାଗମନ ଅଧିକ ସୁଗମ ହୋଇପାରିଛି। ସେହିଭଳି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମାଲଙ୍କ କାର୍ଯ୍ୟକାଳରେ ରାଜ୍ୟର ଦୁର୍ଗମ ଅଞ୍ଚଳକୁ ଏହି ଯୋଜନା ମାଧ୍ୟମରେ ରାସ୍ତା ସଂଯୋଗୀକରଣ ସମ୍ଭବ ହୋଇପାରିଥିଲା। ଏହି ଅବସରରେ ଶ୍ରୀ ଠାକୁର ଜନସାଧାରଣଙ୍କୁ ନିଜର ଦୈନନ୍ଦିନ କାର୍ଯ୍ୟ ଶୈଳୀରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି। ହିମାଚଳ ପ୍ରଦେଶକୁ ଦୁଇଦିନିଆ ଗସ୍ତର ଶେଷ ପର୍ଯ୍ୟାୟ ଅବସରରେ ଶ୍ରୀ ଠାକୁର ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ଅନ୍ତର୍ଗତ ଭୋରଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଂଚଳରେ ଦୁଇଟି ସଡ଼କପଥକୁ ଉଦ୍ଘାଟନ କରିଛନ୍ତି।
