ଆଇପିଏଲ୍-୨୦୨୧ : ହାଇଦ୍ରାବାଦ୍କୁ ୬ ୱିକେଟରେ ହରାଇଲା କୋଲକାତା, ପ୍ଲେ ଅଫ୍ ଆଶା ଉଜ୍ଜିବୀତ
ଦୁବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣର ୪୯ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୬ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ପ୍ରଥମ ପାଳିରେ ହାଇଦ୍ରାବାଦ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୧୫ ରନ୍ କରିଥିଲା । ଜବାବରେ କୋଲକାତା ୧୯.୪ ଓଭରରେ ୪ ୱିକେଟ ହରାଇ ୧୧୯ ରନ୍ କରି ବିଜୟ ହାସଲ କରିଛି । ଶୁବମାନ ଗିଲ ୫୧ ବଲରେ ୫୭ ରନ୍ କରିଥିବା ବେଳେ ନୀତୀଶ ରାଣା ୩୩ ବଲରେ ୨୫ ରନ୍ କରିଥିଲେ । ଶେଷରେ ଦୀନେଶ କାର୍ତ୍ତିକ ୧୨ ବଲରେ ୧୮ ରନ୍ କରି କୋଲକାତାକୁ ବିଜୟ ଦେଇଥିଲେ । କୋଲକାତା ଏହି ବିଜୟ ସହ ୧୨ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ପଞ୍ଚମରେ ରହିଛି ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦର ଓପନର ଜେସନ ରୟ ଏବଂ ରିଦ୍ଧମାନ ଶାହା ନିରାଶ କରିଥିଲେ । ରୟ ୧୦ ରନ କରି ଆଉଟ ହୋଇଥିବା ବେଳେ ଶାହା ଖାତା ଖୋଲିପାରିନାହାନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍ ଓ୍ବିଲିୟମସନ୍ ୨୬ ରନ କରି ଆଉଟ ହୋଇଥିବା ବେଳେ, ପ୍ରିୟମ ଗର୍ଗ ୨୧, ଅଭିଷେକ ଶର୍ମା ୬, ଅବଦୁଲ ସମାଦ ୨୫, କେସନ୍ ହୋଲଡର ୨, ରାସିଦ ଖାନ ୮ ରନ କରି ଆଉଟ ହୋଇଛନ୍ତି । ଭୁବନେଶ୍ବର କୁମାର ୭ ଏବଂ ସିଦ୍ଧାର୍ଥ କୌଲ ୭ ରନ କରି ଅପରାଜିତ ଥିଲେ। କୋଲକାତା ପକ୍ଷରୁ ଟିମ୍ ସାଉଦି, ଶିବମ ମାଭି ଓ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ହାସଲ କରିଥିଲେ। ଏହି ଲୋ ସ୍କୋରିଂ ମୁକାବିଲାରେ ୧୧୬ ରନ ବିଜୟ ଲକ୍ଷ୍ୟ ହାସଲ କରିବାକୁ କେକେଆରକୁ ଶେଷ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଭେଙ୍କଟେଶ ଆୟର(୮) ଓ ରାହୁଲ ତ୍ରିପାଠୀ(୭) ସଅଳ ଆଉଟ୍ ହୋଇଥିଲେ। ଏହା ପରେ ଶୁବମାନ ଗିଲ୍ ଓ ନୀତିଶ ରାଣା ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ରେ ୫୫ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ଶୁବମାନ ଗିଲ୍ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୧ ବଲ୍ରୁ ୧୦ ଚୌକା ସହ ୫୭ ରନର ଉଲ୍ଲେଖୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ରାଣା ୧୮ ରନ କରି ପାଭିଲିୟନ ଫେରିଥିଲେ। ଛୋଟ ସ୍କୋର କରିଥିଲେ ମଧ୍ୟ ସନରାଇଜର୍ସ ବୋଲର ମ୍ୟାଚ୍କୁ ରୋମାଞ୍ଚ କରିବା ସହ ଖେଳକୁ ଶେଷ ଓଭର ପର୍ଯ୍ୟନ୍ତ ଟାଣି ଆଣିଥିଲେ। ଶେଷ ଆଡକୁ ଦିନେଶ କାର୍ତ୍ତିକ ଅପରାଜିତ ୧୮ ରନ କରି ଦଳକୁ ୧୯.୪ ଓଭରରେ ବିଜୟୀ କରାଇଥିଲେ। ଅଧିନାୟକ ଇଅନ ମୋର୍ଗାନ ୨ରନରେ ଅପରାଜିତ ଥିଲେ।
