ଦେଶରେ ଆଉ ୨୨,୮୪୨ କରୋନା ସଂକ୍ରମିତ ଚିହ୍ନଟ ଓ ୨୪୪ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ ଟପିଛି । ଦେଶରେ ଦୈନିକ ସଂକ୍ରମଣ ହାର ୧.୮% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୬୬% ରହିଛି। ଏଥିସହିତ ଆରୋଗ୍ୟ ହାର ୯୭.୮୭% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ସେହିପରି ପରୀକ୍ଷା କରାଯାଉଥିବା ନମୁନାଗୁଡିକ ମଧ୍ୟରେ ସଂକ୍ରମଣ ହାର ୧%ରୁ କମ୍ ଅର୍ଥାତ ୦.୮୦% ରହିଛି।
ରବିବାର ଗତ ୨୪ଘଣ୍ଟାରେ ୨୨ହଜାର ୮୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨୫ହଜାର ୯୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୮ଲକ୍ଷ ୧୩ହଜାର ୯୦୩କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୮ହଜାର ୮୧୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩୦ଲକ୍ଷ ୬୮ହଜାର ୫୯୯ଜଣ ସୁସ୍ଥ ହୋଇଥିବା ବେଳେ ୨ଲକ୍ଷ ୭୦ହଜାର ୫୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ୧୯୯ ଦିନ ପରେ ଏହା ହେଉଛି ଦେଶରେ ସର୍ବନିମ୍ନ ସକ୍ରିୟ ସଂକ୍ରମଣ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୦,୫୧,୭୫,୩୪୮ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅକ୍ଟୋବର ୨ ତାରିଖ ସୁଦ୍ଧା ସମୁଦାୟ ୫୭,୩୨,୬୦,୭୨୪ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୨,୬୫,୭୩୪ଟି ନମୁନା।
