ରାଜ୍ୟରେ ଆଉ ୫୨୮ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୫୭ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଅଗଷ୍ଟରେ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ରବିବାର ୨୧ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୫୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୧୦ ଓ ସ୍ଥାନୀୟ ଅଞ୍ଚଳରୁ ୨୧୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୩ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୭ହଜାର ୯୫୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧ ଜଣ ଥିବାବେଳେ ବାଲେଶ୍ୱରରୁ ୯ ଜଣ, ଭଦ୍ରକରୁ ୬ ଜଣ, ବରଗଡ଼ରୁ ୨ ଜଣ, କଟକରୁ ୬୯ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୨୪ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, ଖୋର୍ଦ୍ଧାରୁ ୨୪୩ ଜଣ, ମୟୁରଭଞ୍ଜରୁ ୩୧ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ୧୭ ଜଣ, ସମ୍ୱଲପୁରରୁ ୧୪ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୯ ଜଣ ଓ ରାଜ୍ୟ ପୁଲରୁ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦,୨୭,୯୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦,୧୪,୪୧୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୨୮୦ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୦୧,୦୩,୪୯୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।
