ଭବାନୀପୁର ଉପନିର୍ବାଚନ : ଜିତିଲେ ମମତା ବାନାର୍ଜୀ!
କୋଲକାତା : ଭବାନୀପୁରରେ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦମଦାର ବିଜୟ ହୋଇଛି । ବିପୁଳ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ବିଜୟୀ ହେଲେ ଦିଦି । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ବାଲଙ୍କ ଠାରୁ ୫୮ ହଜାର ୩୮୯ ଭୋଟରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦି ମୋଟ ୮୪,୭୦୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ବାଲ ପାଇଛନ୍ତି ୨୬, ୩୨୦ ଭୋଟ । ୨୧ ରାଉଣ୍ଡର ଗଣତି ପରେ ମମତା ବିଜୟୀ ହୋଇଛନ୍ତି । ଆନୁଷ୍ଠନିକ ଭାବେ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ମମତାଙ୍କ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଛି । ଭବାନୀପୁରବାସୀଙ୍କ ଭରସାର ଭୋଟ ପାଇଁ ମମତା କେବଳ ଏହି ନିର୍ବାଚନ ଜିତିନାହାନ୍ତି ବରଂ ନିଜ ରେକର୍ଡ ଭାଙ୍ଗିଛନ୍ତି ।
ଭୋଟ ଗଣତି ଆରମ୍ଭରୁ ହିଁ ଦିଦି ଆଗରେ ରହିଥିଲେ । ପ୍ରତି ରାଉଣ୍ଡରେ ମମତା ବାନାର୍ଜୀ ଲିଡ୍ କରୁଥିଲେ । କଡା ଟକ୍କର ହେବା ନେଇ ଶୁଣାଯାଉଥିଲେ ବି ଦିଦି କିନ୍ତୁ ଏକ ପାଖିଆ ଭାବେ ବିଜୟୀ ହୋଇଛନ୍ତି । ତେବେ କୌଣସି ପ୍ରାର୍ଥୀ ବିଜୟୀ ହେବାପରେ ଉତ୍ସବ ମନାଯିବ ନାହିଁ ବୋଲି ନିର୍ବାଚନ କମିସନ, ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହା ସହିତ ଭୋଟ ଗଣତି ପରେ କୌଣସି ହିଂସା ଯେଭଳି ନଉପୁଜେ ସେ ନେଇ ମଧ୍ୟ ସରକାର ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ ରହିଛି । କାରଣ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଏବଂ ଭୋଟ ଗଣତି ପରବର୍ତ୍ତୀ ବ୍ୟାପକ ହିଂସା ଘଟିଥିବା ନଜିର ରହିଛି । ସେହି କାରଣରୁ ସୁରକ୍ଷା ବ୍ୟବସ୍ଥା କଡାକଡି ମଧ୍ୟ କଡାକଡି କରାଯାଇଛି । ସୂଚନା ଯେ, ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନରେ ବିଜୟୀ ହେବା ତାଙ୍କ ପାଇଁ ଜରୁରୀ ହୋଇ ପଡିଥିଲା ।
