ଆଇପିଏଲ-୨୦୨୧ : ପଞ୍ଜାବ ବିପକ୍ଷରେ ଆରସିବିର ପ୍ଲେ ଅଫ୍ ଆଶା
ସାରଜା : ଆଇପିଏଲ୍ର ୪୮ତମ ଲିଗ୍ ମୁକାବିଲାରେ ରବିବାର ପଞ୍ଜାବ କିଙ୍ଗ୍ସ (ପିକେ) ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପରସ୍ପରକୁ ଭେଟିବେ । ୧୪ ପଏଣ୍ଟ ହାସଲ କରିସାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ମ୍ୟାଚ୍ ବିଜୟ ସହ ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ପ୍ରୟାସ କରିବ । ପଞ୍ଜାବ କିଙ୍ଗ୍ସ୍ ପାଇଁ ଶେଷ ୨ଟି ଯାକ ମ୍ୟାଚ୍ରେ ବିଜୟ ଜରୁରୀ । ବର୍ତ୍ତମାନ ଆରସିବି ୭ ବିଜୟ ଓ ୪ ପରାଜୟ ସହ ମୋଟ ୧୪ ପଏଣ୍ଟରେ ତାଲିକାର ତୃତୀୟ ସ୍ଥାନରେ ରହିଛି। ତେଣୁ ମ୍ୟାଚରୁ ୨ ପଏଣ୍ଟ ହାସଲ କରିବା କୋହଲି ବାହିନୀର ଲକ୍ଷ୍ୟ ରହିବ। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୫ ଵିକେଟ ବିଜୟ ପରେ ପଞ୍ଜାବ ମଧ୍ୟ ପ୍ଲେ ଅଫ୍ ଖେଳିବା ଦୌଡ଼ରେ ସାମିଲ ହୋଇଛି। ଯଦିଓ ପଞ୍ଜାବ ଏବେ ୧୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି, ତଥାପି ଆରସିବିକୁ ହରାଇପାରିଲେ ଏହାର ପ୍ଲେ ଅଫ୍ ଖେଳିବା ସମ୍ଭାବନା ବଢିଯାଇପାରେ। ନଚେତ୍ ସାରଜାରୁ ଦଳ ପ୍ଲେ ଅଫ୍ ଆଶା ଛାଡ଼ିବାକୁ ପଡ଼ିବ।
ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ୩୩ ରନ୍ରେ ବିଜୟୀ ହୋଇଥିଲା । ରବିବାର କୋହଲି ବାହିନୀ ବିପକ୍ଷରେ ଆଧିପତ୍ୟ ଜାରି ରଖିବାକୁ କିଙ୍ଗ୍ସ ଦଳ ଚେଷ୍ଠା କରିବ । ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସକୁ ହରାଇବା ପରେ ଦଳର ମନୋବଳ ଦୃଢ ରହିଛି । ଶାହରୁଖ ଖାନ୍ ଏକାଦଶକୁ ଫେରିବା ପରେ ଦଳ ପୂର୍ବାପେକ୍ଷା ଅଧିକ ସନ୍ତୁଳିତ ମନେ ହେଉଛି । ରୟାଲ ଚ୍ୟାଲେଞ୍ଜର୍ସ କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତି ସାରିଛି । ଦଳର ପ୍ରତ୍ୟେକ ଖେଳାଳି ଫର୍ମକୁ ଫେରିଛନ୍ତି । କେ ଏସ୍ ଭରତ ବ୍ୟାଟିଂ କ୍ରମର ୩ନଂ ସ୍ଥାନ ଦୂର୍ବଳତା ଦୂର କରିଛନ୍ତି । ସେହିପରି ସାହମାଜ ଅହମ୍ମଦ ବୋଲିଂ ବିଭାଗକୁ ସନ୍ତୁଳିତ କରିଛନ୍ତି । ଆଜିର ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ବର୍ତ୍ତମାନ ସୁଦ୍ଧା ଯଦିଓ ବିରାଟ କୋହଲି କୌଣସି ବଡ଼ ସ୍କୋର୍ କରିପାରିନାହାନ୍ତି ତଥାପି ତାଙ୍କର ନୂଆ ପ୍ରାରମ୍ଭିକ ଯୋଡ଼ି ଦେବଦତ୍ତ ପାଡ଼ିକଲଙ୍କ ସହ ମିଶି ରାଜସ୍ଥାନ ରୟାଲ୍ସ ବିପକ୍ଷ ବିଜୟରେ ଉଭୟ ବଡ଼ ଭୂମିକା ତୁଲାଇଥିଲେ। ଗ୍ଲେନ୍ ମ୍ୟାକ୍ସେଵଲ ବ୍ୟାଟି˚ କରିବାକୁ ଆସିବା ଆଗରୁ ଉପରୋକ୍ତ ଦୁଇ ପ୍ରାରମ୍ଭିକ ଯୋଡ଼ି ଚକତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାକ୍ସେଵଲ ଅର୍ଧଶତକ ମାରି ଦଳର ବିଜୟ ସହଜ କରିଥିଲାବେଳେ ଏ.ବି. ଡିଭିଲିୟର୍ସ ବିଜୟ ମୁଣ୍ତି ମାରିଥିଲେ। ଯଦି ପୁଣି ଥରେ ଏଭଳି ପରିସ୍ଥିତି ଆସେ, ଶେଷ ମ୍ୟାଚ୍ ଭଳି ଶ୍ରୀକର ଭରତଙ୍କ ସହ ମିଶି ପୁଣି ଥରେ ମଝି ଓଭରଗୁଡ଼ିକରେ ମ୍ୟାକ୍ସେଵଲ ଏକ ଦୃୃଢ ଭାଗୀଦାରି କରିପାରିବେ। ଅନ୍ୟପକ୍ଷରେ ପଞ୍ଜାବ ପୁଣି ଥରେ ଏହାର ପ୍ରାରମ୍ଭିକ ଯୋଡ଼ି ଅଧିନାୟକ କେ.ଏଲ୍. ରାହୁଲ ଓ ମୟଙ୍କ ଅଗ୍ରଵାଲଙ୍କ ଉପରେ ଭଲ ଆରମ୍ଭ ଆଶା ରଖିବ। କୋଲକାତା ବିପକ୍ଷରେ ଯେଭଳି ଏମାନେ ଧମାକାଦାର ରନ୍ ସ˚ଗ୍ରହ କରିଥିଲେ ତାହାକୁ ଆରସିବି ସହିତ ଦୋହରାଇପାରନ୍ତି। ତେବେ ପଞ୍ଜାବର ସବୁଠୁ ମଜବୁତ ଭାଗ ହେଉଛି, ଶେଷ ଓଭରମାନଙ୍କରେ ଏହାର ବୋଲରମାନେ ରନ୍ ହାର ଧୀମା କରିବାରେ ସିଦ୍ଧହସ୍ତ। ତେଣୁ ଏହା ଆର୍ସିବି ରନ୍ ଗତିରେ ନିୟନ୍ତ୍ରଣ ଆଣିପାରେ। ଶେଷ ଓଭରମାନଙ୍କରେ ମହମ୍ମଦ ସାମି ଓ ଅର୍ସଦୀପ ସି˚ହ ହିଁ କୋଲକାତା ବିପକ୍ଷରେ ଦଳକୁ ଜିତାଇଥିଲେ। ଆର୍ସିବି ବିପକ୍ଷ ମ୍ୟାଚ୍ ବେଳେ ମଧ୍ୟ ଏହି ଦୁଇଜଣ ପୁର୍ବ ଚମତ୍କାର ଦେଖାଇପାରନ୍ତି।
ସମ୍ଭାବ୍ୟ ଆରସିବି ଏକାଦଶ : ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡ଼ିକଲ, କେ.ଏସ୍. ଭରତ, ଗ୍ଲେନ୍ ମ୍ୟାକ୍ସେଵଲ, ଏ.ବି. ଡିଭିଲିୟର୍ସ, ଶାହାବାଜ ଅହମ୍ମଦ, ଡାନ୍ ଖ୍ରୀଷ୍ଟିଆନ୍, ଵାନିନ୍ଦୁ ହସରଙ୍ଗା/ଜର୍ଜ ଗାର୍ଟନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟଜୁବେନ୍ଦ୍ର ଚହଲ।
ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍ସ ଏକାଦଶ: କେ.ଏଲ୍. ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରଵାଲ, ନିକୋଲାସ୍ ପୂରନ, ଏଡେନ୍ ମର୍କରାମ, ଶାହରୁଖ ଖାନ୍, ହର୍ପ୍ରୀତ୍ ବ୍ରାର, ଫାବିଏଲ୍ ଆଲେନ୍/ଆଦିଲ ରସିଦ, କ୍ରିସ୍ ଜୋର୍ଡାନ/ନାଥନ୍ ଏଲିସ୍, ମହମ୍ମଦ ସାମି, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ।
