ଭବାନୀପୁର ଉପ-ନିର୍ବାଚନ : ଆଜି ଦିଦିଙ୍କ ଭାଗ୍ୟ ନିର୍ଦ୍ଧାରଣ
କୋଲକାତା : ପଶ୍ଚିମବଙ୍ଗ ଭବାନୀପୁରରେ ଗତ ସେପ୍ଟେମ୍ବର ୩୦ ତାରିଖରେ ହୋଇଥିବା ବିଧାନସଭା ଉପନିର୍ବାଚନର ଫଳାଫଳ ଆଜି ସନ୍ଧ୍ୟା ସୁଦ୍ଧା ଆସିବ । ଏଥି ସହିତ ପୂରା ଦେଶର ଜନତାଙ୍କ ନଜର ଭବାନୀପୁର ଆସନ ଉପରେ ରହିଛି, ଯେଉଁଠିକାର ନିର୍ବାଚନ ଫଳାଫଳ ଆଜି ଆସିବ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଏହି ଆସନରୁ ପ୍ରାର୍ଥୀ ଅଛନ୍ତି । ଆଜି ଆସିବାକୁ ଥିବା ଉପନିର୍ବାଚନର ଫଳାଫଳ ନିର୍ଦ୍ଧାରଣ କରିବ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ । ଯଦି ମମତା ବାନାର୍ଜୀ ଭବାନୀପୁର ନିର୍ବାଚନରେ ବିଜୟୀ ନହୁନ୍ତି, ତା’ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ । ମମତା ବାନାର୍ଜୀଙ୍କ ବପକ୍ଷରେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରିୟଙ୍କା ଟିବରେୱାଲ ପ୍ରାର୍ଥୀ ହୋଇଛନ୍ତି । ତେବେ ମତଗଣନା ଆଜି ସକାଳ ୮ଟାରୁ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଫଳାଫଳ ଆସିଯିବ ଏବଂ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ, ତାହା ସ୍ପଷ୍ଟ ହୋଇଯିବ ।
ତେବେ ଭୋଟ୍ ଗଣନାରେ ପୂର୍ବାହ୍ନ ୧୦ଟା ସୁଦ୍ଧା ‘ତୃଣମୂଳ କଂଗ୍ରେସ’ ପ୍ରାର୍ଥିନୀ ମମତା ବାନାର୍ଜୀ ୩,୬୮୦ ଖଣ୍ଡ ଭୋଟ୍ରେ ଅଗ୍ରଣୀ ଥିବା କଥା ନିର୍ବାଚନ କମିସନ୍ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିବା ‘ବିଜେପି’ ପ୍ରାର୍ଥିନୀ ପ୍ରିୟଙ୍କା ଟିବ୍ରେୱାଲ୍ ୮୮୧ ଖଣ୍ଡ ଭୋଟ୍ ପାଇ ପଛରେ ପଡ଼ିଛନ୍ତି। ବାଲଟ୍ ପୋଲ୍ ଗଣତି ଆରମ୍ଭ ହେବାର କିଛି ସମୟ ପରେ ମମତା ବାନାର୍ଜୀ ୨,୮୦୦ ଭୋଟ୍ରେ ଆଗୁଆ ଥିବା କଥା ଜଣାପଡ଼ିଥିଲା।ସେହିପରି, ପ୍ରଥମ ପର୍ଯ୍ୟାୟ ଗଣନା ପରେ ଜଙ୍ଗିପୁର ଆସନରେ ମଧ୍ୟ ‘ତୃଣମୂଳ କଂଗ୍ରେସ’ ୪,୫୪୨ ଖଣ୍ଡ ଭୋଟ୍ରେ ଆଗୁଆ ରହିଛି। ସେଠାରେ ‘ବିଜେପି’ ୨,୮୨୫ ଭୋଟ୍ ପାଇ ଦ୍ବିତୀୟ, ୨୫୫ ଭୋଟ୍ ପାଇ ‘ଆର୍ଏସ୍ପି’ ତୃତୀୟ ସ୍ଥାନରେ ରହିଛି। ‘ପୋଷ୍ଟାଲ୍ ବାଲଟ୍’ ଗଣନା ପରେ ‘ତୃଣମୂଳ କଂଗ୍ରେସ୍’ ପ୍ରାର୍ଥୀ ଜାକିର ହୋସେନ୍ ୧,୭୧୭ ଖଣ୍ଡ ଭୋଟ୍ରେ ଆଗୁଆ ଥିଲେ। ରାଜ୍ୟର ତିନୋଟି ବିଧାନସଭା ଆସନ ଯଥା:- ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଉପନିର୍ବାଚନରେ ଏପର୍ଯ୍ୟନ୍ତ ‘ତୃଣମୂଳ କଂଗ୍ରେସ’ ଅଗ୍ରଣୀ ଥିବା ଜଣାପଡ଼ିଛି। ସୂଚନା ଯେ, ଭବାନୀପୁର ସିଟ ମମତା ବାନାର୍ଜୀଙ୍କ ପାରଂପରିକ ସିଟ । ଏଠାରେ ସେ ନିୟମିତ ଭାବେ ନିର୍ବାଚନ ଲଢ଼ିଆସୁଛନ୍ତି । କିନ୍ତୁ ଏଥର ସେ ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିଥିଲେ । ସେଠାରେ ସେ ହାରି ଯାଇଥିଲେ । ଭବାନୀପୁର ଆସନରେ ୭୦ ପ୍ରତିଶତ ମତଦାତା ଅଣ ବଙ୍ଗାଳୀ । ଏଥିରୁ ଅଧିକାଂଶ ଗୁଜରାଟର ମୂଳ ନିବାସୀ । ତେଣୁ ଫଳାଫଳ ଆସିବା ପରେ ମମତା ବାନାର୍ଜୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
