ନୂଆ ରୂପରେ ଖୋଲିଲା ଏକାମ୍ର ହାଟ
ଭୁବନେଶ୍ୱର : ପ୍ରାୟ ଦେଢ ବର୍ଷ ପରେ ପୁଣି ଖୋଲିଛି ଭୁବନେଶ୍ୱର ୟୁନିଟ୍ – ୩ ସ୍ଥିତ ଏକାମ୍ର ହାଟ । କୋଭିଡ କଟକଣା ଯୋଗୁଁ ତଥା ହାଟର ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଗତ ୨୦୨୦ ମାର୍ଚ୍ଚ ମାସରୁ ଏକାମ୍ର ହାଟ ବନ୍ଦ ରହିଥିଲା । ହାଟର ପରିଚାଳନା ଦାୟିତ୍ୱ ଇଡକୋ ଠାରୁ ସିଡାକକୁ ଦିଆଯାଇଛି । ହାଟକୁ ଦୁଇଟି ଜୋନ୍ ରେ ବିଭକ୍ତ କରାଯାଇଛି, ଯଥା-‘ଏକାମ୍ର କୁଟୀର’, ଯେଉଁଠି ୮ଟି କଳା ପ୍ରଦର୍ଶନ ଷ୍ଟଲ ସହିତ ୫୦ଟି ଷ୍ଟଲ ଏବଂ ‘ଏକାମ୍ର ବଜାର’ ଯେଉଁଠି ଏକ ଖୋଲା ଜାଗା ପରିବେଷ୍ଟିତ ୩୩ଟି ଷ୍ଟଲ ଅଛି । ସମୁଦାୟ ୮୩ଟି ଷ୍ଟଲ ମଧ୍ୟରୁ ୫୬ଟି ହସ୍ତଶିଳ୍ପ ପାଇଁ ଓ ୨୭ଟି ହସ୍ତତନ୍ତ ପାଇଁ ଉଦ୍ଦିଷ୍ଟ ।
ପରିଦର୍ଶକମାନେ ଏକାମ୍ର ହାଟରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ପ୍ରକୃତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଇପାରିବେ ତଥା ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିପାରିବେ । ଏଠାରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଦ୍ୱାରା ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରତ୍ୟକ୍ଷ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି, ଯଦ୍ଦ୍ୱାରା ପରିଦର୍ଶକମାନେ ଓଡ଼ିଶାର ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ । ଏହି ହାଟରେ ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଓ ଉତ୍କଳିକା ସଂସ୍ଥାମାନଙ୍କ ଷ୍ଟଲ ଖୋଲାଯାଇଛି । ଏକାମ୍ର ହାଟରେ ୧୦ଟି ସ୍ୱତନ୍ତ୍ର ଜଳପାନ ଷ୍ଟଲ ବ୍ୟବସ୍ଥା କରାଯାଇଛି । ସେହି ଷ୍ଟଲମାନଙ୍କରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟାନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଗୋଟିଏ ଛାତ ତଳେ ଉପଲବ୍ଧ କରାଯାଇଛି । ପରିଦର୍ଶକ/ପ୍ରଦର୍ଶକ/କ୍ରେତାମାନଙ୍କ ସୁବିଧା ନିମନ୍ତେ ଏକାମ୍ର ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଂଚ, ଏଟିଏମ୍, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା ଅଛି । ଏକାମ୍ର ହାଟ ପ୍ରତ୍ୟେକ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତ କୋଭିଡ୍ -୧୯ ନିୟମ ପାଳନ ସହିତ ଖୋଲା ରହିବ । ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଖୋଲିବା ସମୟରେ ପରିବର୍ତନ କରାଯିବ ।
