ଆଇପିଏଲ-୨୦୨୧ : ୭ ୱିକେଟରେ ଚେନ୍ନାଇକୁ ହରାଇଲା ରାଜସ୍ଥାନ
ଆବୁଧାବି : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣର ୪୭ତମ ମ୍ୟାଚ୍ରେ ଶନିବାର ଚେନ୍ନାଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ ମଧ୍ୟ ଖେଳ ହୋଇଛି । ଏହି ମ୍ୟାଚ୍ରେ ହେଲା ରନର ବର୍ଷା ଦେଖିବାକୁ ମିଳିଛି । ଚଳିତ ସଂସ୍କରଣର ଦ୍ଵିତୀୟ ସିଜିନରେ ଏହି ମ୍ୟାଚ୍ରେ ହିଁ ଦେଖିବାକୁ ମିଳିଛି ଛକା-ଚୌକା ବର୍ଷା। ଫଳରେ ଏଥିରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୭ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ୍ ରୟାଲ୍ସ। ଏହି ବିଜୟ ସହ ରାଜସ୍ଥାନ ୧୦ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ଷଷ୍ଠ ସ୍ଥାନରେ ରହିବା ସହ ପ୍ଳେ ଅଫ୍ ଦୌଡରେ ନିଜକୁ ସାମିଲ ରଖିଛି ।
ପ୍ରଥମ ପାଳିରେ ରାଜସ୍ଥାନ୍ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଥିଲା। ଧୋନିଙ୍କ ଟିମ୍ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା। ଏଥିରେ ଋତୁରାଜ ଗାଏକଓ୍ଵାଡଙ୍କ ଶତକ ସାମିଲ ଥିଲା। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୯୦ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା । ଋତୁରାଜ ଗାଏକଓ୍ଵାଡ ଓ ଫାଫ୍ ଡୁପ୍ଲେସିସ୍ଙ୍କ ଭଲ ବ୍ୟାଟିଂ ଯୋଗୁଁ ଚେନ୍ନାଇର ଭଲ ଆରମ୍ଭ ହୋଇଥିଲା। ଚେନ୍ନାଇ ପ୍ରଥମ ଓ୍ଵିକେଟ୍ ପଡ଼ିବା ବେଳେ ସ୍କୋର ୪୭ ରନ୍ ଥିଲା। ଯୁବ କ୍ରିକେଟର ଋତୁରାଜ ୬୦ଟି ବଲ୍ ଖେଳି ଅପରାଜିତ ଶତକ (୧୦୧ ରନ୍) କରିଥିଲେ। ଏଥିରେ ୯ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ମୋଇନ୍ ଅଲ୍ଲୀ ୨୧ ରନ୍ ଓ ରବୀନ୍ଦ୍ର ଜାଦେଜା ଅପରାଜିତ ୩୨ ରନ୍ ଦଳ ପାଇଁ ଯୋଡ଼ିଥିଲେ। ସେ ୧୫ଟି ବଲ ଖେଳି ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆକାଶ ସିଂହ ୪ ଓଭର ବୋଲିଂକରି ୩୯ ରନ ଦେଇଥିବା ବେଳେ, ଚେତନ୍ ସକାରିୟା ୪ ଓଭରରେ ୩୧ ରନ ୧ ଓ୍ବିକେଟ୍, ମୁସ୍ତଫିଜୁର ରେହମାନ ୪ ଓଭରରେ ୫୧ ରନ, ରାହୁଲ ତ୍ରିପାଠୀ ୪ ଓଭରରେ ୩୯ ରନ ଦେଇ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ମୟଙ୍କ ମାର୍କଣ୍ଡେ ୩ ଓଭରରେ ୨୬ ରନ ଏବଂ ଗ୍ଲେନ୍ ଫିଲିପ୍ସ ୧ ଓଭରରେ ୩ ରନ ବ୍ୟୟ କରିଛନ୍ତି ।
୧୯୦ ରନର ବିଶାଳ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ନିଜର ଦୁଇ ଓପନର ଯଶସ୍ଵୀ ଜୟଶଓ୍ଵାଲ ଓ ଏଭିନ ଲୁଇସ୍ ଅବିଶ୍ଵସନୀୟ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରି ଚେନ୍ନାଇ ବୋଲରଙ୍କ ନିଦ ହଜାଇ ଦେଇଥିଲେ। ବିଶେଷ କରି ଯୁବ ବ୍ୟାଟସମ୍ୟାନ ଜୟଶଓ୍ଵାଲ ଚୌକା ଓ ଛକା ବର୍ଷା କରି ମାତ୍ର ୧୯ ବଲ୍ରେ ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ୫ ଓଭରରେ ଓପନିଂ ଯୋଡି ୭୫ ରନ ଯୋଡିଥିଲେ। ଏଭିନ ଲୁଇସ୍ ୭୭ ରନ ସ୍କୋରରେ ଆଉଟ୍ ହୋଇଥିଲେ। ସେ ମାତ୍ର ୧୨ ବଲ୍ରୁ ୨ ଚୌକା ଓ ୨ ଛକା ସହ ୨୭ ରନ କରିଥିଲେ। ହେଲେ ଓପନର ଦ୍ଵୟ ରାଜସ୍ଥାନ ବିଜୟ ପାଇଁ ଦୃଢ ମୂଳଦୁଆ ପକାଇଥିଲେ। ଏହା ପରେ ଜୟଶିଓ୍ଵାଲ ୨୧ ବଲ୍ରୁ ୬ ଚୌକା ଓ ୩ ଛକା ବଳରେ ୫୦ ରନର ଧୂଆଁଧାର ଇନିଂସ ଖେଳିଥିଲେ। ପଦାର୍ପଣ ମ୍ୟାଚ୍ ଖେଳୁଥିବା କେଏମ ଆସିଫ ନିଜର ପ୍ରଥମ ବଲ୍ରେ ଯଶସ୍ଵୀଙ୍କ ଓ୍ଵିକେଟ୍ ନେଇଥିଲେ। ପ୍ରଥମ ୬ ଓଭରର ପାଓ୍ଵାର ପ୍ଲେରେ ରାଜସ୍ଥାନ ରୟାଲ୍ସ ୮୧ ରନ ସଂଗ୍ରହ କରି ୨ ଓ୍ଵିକେଟ୍ ହରାଇଥିଲା। ଏହା ପରେ ସଞ୍ଜୁ ସାମସନ ଓ ଶିବମ ଦୁବେ ଇନିଂସକୁ ଆଗକୁ ବଢାଇଥିଲେ। ଖାସ୍ କରି ଶିବମ ଦୁବେ କ୍ରିଜକୁ ଆସିବା ମାତ୍ରେ ଚେନ୍ନାଇ ବୋଲରଙ୍କ ଉପରେ ଆକ୍ରମଣ କରିଥିଲେ। ଯଶସ୍ଵୀ ଜୟଶଓ୍ଵାଲଙ୍କ ପରି ଦୁବେ ଛକା ଓ ଚୌକା ମାରି ଦଳକୁ ବିଜୟ ଆଡକୁ ନେଇଥିଲେ। ସେ ୩୨ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସଞ୍ଜୁ ସାମସନ ୨୮ ରନ କରି ଆଉଟ୍ ହୋଇଥିଲେ। ହେଲେ ସେ ଶିବମ ଦୁବେଙ୍କ ସହ ତୃତୀୟ ଓ୍ଵିକେଟ୍ରେ ୮୯ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ଦୁବେ ଶେଷ ପର୍ଯ୍ୟନ୍ତ ରହି ଦଳକୁ ୫ ଓ୍ଵିକେଟ୍ରେ ବିଜୟୀ କରାଇଛନ୍ତି। ରାଜସ୍ଥାନ ୧୭.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଚେନ୍ନାଇ ୭ ଓ୍ଵିକେଟ୍ରେ ପରାଜିତ ହୋଇଛି। ଦୁବେ ୪୨ ବଲ୍ରୁ ୪ ଚୌକା ଓ ୪ ଛକା ସହ ୬୪ ରନ ଏବଂ ଗ୍ଲେନ ଫିଲିପ୍ସ ୮ ବଲ୍ରୁ ଏକ ଛକା ଏକ ଚୌକା ସହ ୧୪ ରନରେ ଅପରାଜିତ ଥିଲେ।
