ରେଢାଖୋଲ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାରାଥନ କାର୍ଯ୍ୟକ୍ରମରେ ଯୋଗଦେବେ
ସମ୍ବଲପୁର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରୁ ରେଢାଖୋଲକୁ ଟ୍ରେନ୍ ଯୋଗେ ଗସ୍ତ କରିଛନ୍ତି । ସେଠାରେ ସେ ପ୍ରଥମେ ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାପରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜଏରାଟ୍ ଗ୍ରାମରେ ଆୟୋଜିତ ପଦଯାତ୍ରାରେ ସାମିଲ ହେବେ ।
ଅନ୍ୟପଟେ ଚଳିତ ବର୍ଷ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଜନ୍ମ ଦିବସ ସହିତ ତାଙ୍କର ୨୦ ବର୍ଷ ଜନସେବାର କାର୍ଯ୍ୟକାଳ ଏକା ସମୟରେ ପଡ଼ିଥିବାରୁ ବିଜେପି ପକ୍ଷରୁ ୧୭ ସେପ୍ଟେମ୍ବରରୁ ୭ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଏବଂ ସମର୍ପଣ ଅଭିଯାନ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ସେବାର ମହତ୍ୱ ତଥା ସମାଜ ଓ ରାଷ୍ଟ୍ରପତି ସର୍ମପଣ ଭାବ ସମ୍ପର୍କରେ ଜନଜାଗରଣ କରାଯାଉଛି । ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, କ୍ଷୁଦ୍ରଶିଳ୍ପ ଏବଂ ହସ୍ତଶିଳ୍ପ କାରୀଗରଙ୍କୁ ପ୍ରୋତ୍ସାହନ ଦେବା, ଖଦୀବସ୍ତ୍ରର ବହୁଳ ଉପଯୋଗ, ସ୍ଥାନୀୟ ଭାବେ ଉତ୍ପାଦିତ ଦ୍ରବ୍ୟର ପ୍ରୋତ୍ସାହନ ଆଦି କାର୍ଯ୍ୟକ୍ରମ କରାଯାଇ ବାପୁଙ୍କର ସିଦ୍ଧାନ୍ତର ପ୍ରଚାର ପ୍ରସାର କରାଯିବ । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏହି ଜଏରାଟ୍ ଗ୍ରାମରେ ଆୟୋଜିତ ପଦଯାତ୍ରାରେ ସାମିଲ ହେବେ । ଶେଷରେ ଅନୁଗୋଳ ଏବଂ ଢେଙ୍କାନାଳର ସୁନ୍ଦରିଖାଲକୁ ଗସ୍ତ କରି ପ୍ରତ୍ୟକ୍ଷ ଭାବରେ ୨ଟି ଏବଂ ସେଠାରୁ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୮ଟି ଅର୍ଥାତ୍ ସର୍ବମୋଟ ୧୦ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ବହୁମୁଖୀ ସମ୍ମିଳନୀ କକ୍ଷ, ସଭାଗୃହ ଏବଂ ଆନୁସଙ୍ଗିକ ସୁବିଧାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
