ବିଶ୍ୱବାସୀଙ୍କ ପାଇଁ ଶୁଭ ଖବର : ମିଳିବ ପ୍ରଥମ କୋଭିଡ ବଟିକା ମୋଲନୁପିରାଭିର
FILE PHOTO: An experimental COVID-19 treatment pill called molnupiravir being developed by Merck & Co Inc and Ridgeback Biotherapeutics LP, is seen in this undated handout photo released by Merck & Co Inc and obtained by Reuters May 17, 2021. Merck & Co Inc/Handout via REUTERS
ୱାଶିଂଟନ : ଦୀର୍ଘ ୨ ବର୍ଷ ହେଲା ମହାମାରୀ କରୋନା ସହ ଲଢ଼େଇ କରୁଥିବା ବିଶ୍ୱବାସୀଙ୍କୁ ଖୁବଶୀଘ୍ର ଶୁଭ ଖବର ମିଳିବ। କାରଣ ବିଶ୍ୱବାସୀ ପ୍ରଥମଥର ପାଇଁ କୋଭିଡ ବିରୋଧୀ ବଟିକା ପାଇବାକୁ ଯାଉଛନ୍ତି। ବିଶ୍ୱର ପ୍ରଥମ କୋଭିଡ ବଟିକା ମୋଲନୁପିରାଭିରର ଟ୍ରାଏଲରୁ ଉତ୍ସାହଜନ ଫଳାଫଳ ମିଳିଛି। ମୋଲନୁଭିରାଭିରକୁ ଆମେରିକାର ଫାର୍ମା କମ୍ପାନୀ ମେର୍କ ଆଣ୍ଡ କୋ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଟ୍ରାଏଲ ବେଳେ ଏହା କରୋନା ବିରୋଧରେ ସଫଳତାର ସହ କାମ କରୁଥିବା ପ୍ରମାଣ ମିଳିଛି। ତେଣୁ କମ୍ପାନୀ ଖୁବଶୀଘ୍ର ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଆମେରିକା ସରକାରଙ୍କ ନିକଟରେ ଆବେଦନ କରିବ। ଯଦି ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହାକୁ ଅନୁମୋଦନ କରନ୍ତି, ତା’ହେଲେ ବିଶ୍ୱକୁ କରୋନା ବିରୋଧରେ ପ୍ରଥମ ବଟିକା ମିଳିଯିବ। କମ୍ପାନୀ ବଟିକାର ଏକାଧିକ ପରୀକ୍ଷା କରିଛି। ପରୀକ୍ଷାରୁ ଜଣାପଡ଼ିଛି ଯେ ଏହି ବଟିକା ହସ୍ପିଟାଲରେ ଭର୍ତ୍ତି ଓ ମୃତ୍ୟୁ ଆଶଙ୍କାକୁ ହ୍ରାସ କରିବାରେ ସକ୍ଷମ। ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁ ଆଶଙ୍କାକୁ ମୋଲନୁପିରାଭିର ପ୍ରାୟ ୫୦% ହ୍ରାସ କରୁଥିବା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରୁ ଜଣାପଡ଼ିଛି।
ପରୀକ୍ଷାରେ ସାମିଲ ହୋଇଥିବା ୩୮୫ ଜଣଙ୍କ ମଧ୍ୟରୁ କେବଳ ୨୮ ଜଣ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି କିମ୍ବା ପ୍ରାଣ ହରାଇଛନ୍ତି। ଅର୍ଥାତ ମାତ୍ର ୭.୩% ଲୋକ କରୋନାରେ ଗୁରୁତର ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୨୯ ଦିନର ପରୀକ୍ଷାରେ ସାମିଲ ହୋଇ ପ୍ଲାସେବୋ ଦ୍ୱାରା ଚିକିତ୍ସିତ ହେଉଥିବା ଲୋକଙ୍କ ମୃତ୍ୟୁହାର ୧୪.୧% ରହିଛି। ତେଣୁ ମୃତ୍ୟୁ ଓ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ମୋଲନୁପିରାଭିର ପ୍ରାୟ ୫୦% ହ୍ରାସ କରିପାରୁଛି। ତେବେ ପୂର୍ବରୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ କ୍ଷେତ୍ରରେ ଏହି ବଟିକା କୌଣସି ପ୍ରକାରର ଲାଭ ଦେଉନାହିଁ। ସେହିପରି ବଟିକା ଖାଉଥିବା ଲୋକଙ୍କ ଶରୀରରେ କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖାଯାଉ ନାହିଁ। ଲକ୍ଷଣ ଦେଖା ଯିବାରୁ ୫ ଦିନ ମଧ୍ୟରେ ଏହି ବଟିକା ଖାଇବା ଦ୍ୱାରା ଜଣେ ରୋଗୀ ଗୁରୁତର ହେବେନି ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।
