ରାଜ୍ୟରେ ଆଉ ୪୭୭ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୭୪ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଅଗଷ୍ଟରେ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶୁକ୍ରବାର ୨୨ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୪୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୯୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୪ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୬ହଜାର ୯୫୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫ ଜଣ ଥିବାବେଳେ ବାଲେଶ୍ୱରରୁ ୨୬ ଜଣ, ଭଦ୍ରକରୁ ୧ ଜଣ, ବଲାଙ୍ଗୀରରୁ ୧ ଜଣ, କଟକରୁ ୬୨ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୨୩ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେଉଁଝରରୁ ୫ ଜଣ, କୋରାପୁଟରୁ ୪ ଜଣ, ଖୋର୍ଦ୍ଧାରୁ ୨୦୦ ଜଣ, ମୟୁରଭଞ୍ଜରୁ ୨୩ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ୧୬ ଜଣ, ସମ୍ୱଲପୁରରୁ ୧୧ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୫ ଓ ରାଜ୍ୟ ପୁଲରୁ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦,୨୬,୯୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦,୧୩,୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୫୫୬ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୦୦,୩୪,୨୪୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।
