ସମଗ୍ର ଦିଲ୍ଲୀର ଶ୍ବାସରୁଦ୍ଧ କରିଛନ୍ତି କୃଷକ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : କୃଷକମାନେ ସମଗ୍ର ସହରର ଶ୍ବାସରୁଦ୍ଧ କରିଛନ୍ତି ବୋଲି କିଛି ମାସ ହେବ ଦିଲ୍ଲୀ ଚାରିପଟେ ଥିବା ରାସ୍ତା ଓ ରାଜପଥ ଅବରୋଧ କରିଥିବା କୃଷକମାନଙ୍କୁ ଆଜି ସୁପ୍ରିମକୋର୍ଟ କହିଛନ୍ତି। ଜନ୍ତର ମନ୍ତର ଠାରେ ପ୍ରତିବାଦ ପ୍ରଦର୍ଶନ କରିବା ଲାଗି ଅନୁମତି ଦେବା ପାଇଁ ‘କିଷାନ ମହାପଞ୍ଚାୟତ’ ନାମକ ସଙ୍ଗଠନ ଦାଏର କରିଥିବା ଏକ ପିଟିସନ୍ର ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ କହିଲେ, ସମଗ୍ର ସହରକୁ ଶ୍ବାସରୁଦ୍ଧ କରିବା ପରେ ଏବେ କୃଷକମାନେ ସହର ମଧ୍ୟକୁ ପ୍ରବେଶ କରିବାକୁ ଚାହୁଁଛନ୍ତି। ଉକ୍ତ ପିଟିସନ୍ରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ପ୍ରତିବାଦ ପ୍ରଦର୍ଶନ ପାଇଁ ଅନୁମତି ଲୋଡ଼ାଯାଇଥିଲା। ଏହାର ଶୁଣାଣି କରି ବିଚାରପତି ଖାନ୍ୱିଲ୍କର୍ କହିଲେ, ଯାତ୍ରାରତ ନିରାପତ୍ତା କର୍ମଚାରୀମାନଙ୍କୁ ଆପଣମାନେ ବାଧା ଦେଉଛନ୍ତି। ଆପଣମାନେ ରେଳ ଓ ରାଜପଥ ଅବରୋଧ କରୁଛନ୍ତି। ଆପଣମାନଙ୍କୁ କେମିତି ଅନୁମତି ମିଳିବ?
ଆବେଦନକାରୀଙ୍କ ଓକିଲ ଅଜୟ ଚୌଧୁରୀ ଯୁକ୍ତି କରିଥିଲେ, ପୁଲିସ ରାଜପଥ ଅବରୋଧ କରିଛି। ପୁଲିସ ଆମକୁ ଅଟକାଇଛି। ଆମେ ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଚାହୁଁ। କିନ୍ତୁ, ସୁପ୍ରିମ୍ କୋର୍ଟ କହିଲେ, ପିଟିସନ୍ ଫାଇଲ୍ କରିସାରିଥିବାରୁ ଆପଣମାନେ ପ୍ରତିବାଦ ଚାଲୁ ରଖିପାରିବେ ନାହିଁ। ଯଦି ଆପଣମାନେ କୃଷକ ପ୍ରତିବାଦର ଅଂଶବିଶେଷ ନୁହନ୍ତି, ତେବେ ଆପଣ ସହର ଚାରିପଟେ ଥିବା ଜାତୀୟ ରାଜପଥ ଅବରୋଧ କରିଥିବା ପ୍ରତିବାଦକାରୀଙ୍କ ସହ ସମ୍ପୃକ୍ତ ନୁହନ୍ତି ବୋଲି ଉଲ୍ଲେଖ କରି ସତ୍ୟପାଠ ଦାଖଲ କରନ୍ତୁ। ଆପଣମାନଙ୍କର ପ୍ରତିବାଦ କରିବା ଅଧିକାର ଅଛି। କିନ୍ତୁ, ଆପଣମାନେ ସମ୍ପତ୍ତି ନଷ୍ଟ କରି ପାରିବେ ନାହିଁ। ଏଭଳି ବ୍ୟାପାର ବନ୍ଦ ହେବା ଉଚିତ। ଓକିଲ ଅଜୟ ଚୌଧୁରୀ କହିଲେ କି, ‘କିଷାନ୍ ମହାପଞ୍ଚାୟତ’ ପୃଥକ୍ ସଙ୍ଗଠନ ଏବଂ ତାହା ରାଜପଥ ଅବରୋଧ ପାଇଁ ଦାୟୀ ନୁହେଁ। କିନ୍ତୁ, ସୁପ୍ରିମ୍ କୋର୍ଟ ଏହି ଆବେଦନର ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
