ଭିଜିଲାନ୍ସ ଜାଲରେ ଅଙ୍ଗନୱାଡ଼ି ସୁପରଭାଇଜର : ୧୦ହଜାର ଲାଞ୍ଚ ନେବା ବେଳେ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ସିଡିପିଓ କାର୍ଯାଳୟରେ ଭିଜିଲାନ୍ସର ଚଢ଼ାଉ । ଚାକିରୀ କରାଇ ଦେବା ନାଁରେ ନୀଳଗିରି ସିଡ଼ିପିଓ କାର୍ଯାଳୟରେ କାମ କରୁଥିବା ଜଣେ ସୁପରଭାଇଜର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଯୋଜନା ବଦ୍ଧ ଭାବେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଘଟଣା ସ୍ଥଳରୁ ସୁପରଭାଇଜର ସୁବର୍ଣ୍ଣା ସିଂଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବିଭିନ୍ନ ପଞ୍ଚାୟତରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବହୁ ଆଶାୟୀ ମହିଳା ଆବେଦନ କରିଥିଲେ । ଶେଷରେ ଚୟନ କମିଟିର ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା । ସେମାନଙ୍କୁ କାର୍ଯ୍ୟାଳୟକୁ ଡକାଇ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ବରହମପୁର ସେକ୍ଟର ଅଧିନରେ ଥିବା ନରଣପୁର ଦେଉରୀ ସାହି କେନ୍ଦ୍ର ପାଇଁ ସୀତାରାଣୀ ଦେଉରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ମାତ୍ର ଉକ୍ତ ସେକ୍ଟରର ସୁପରଭାଇଜର ସୁବର୍ଣ୍ଣା ସିଂ ବାରମ୍ବାର ସୀତାରାଣୀଙ୍କୁ ଫୋନ୍ କରି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପତ୍ର ପାଇଥିବା ବେଳେ କ’ଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦେବେ ବୋଲି କହିଥିଲେ ନିଜ ଦେଢୁଶୁର ଅନାମ ମଲ୍ଲିକ । ସେ ଉକ୍ତ ବିଷୟକୁ ବାଲେଶ୍ୱର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏସ୍ପି ନିର୍ଦ୍ଦେଶରେ ଗୁରୁବାର ୧ଘଟିକା ସମୟରେ ଡ଼ିଏସପି ସନ୍ତୋଷ ସମନ୍ତରାୟ, ଆଇଆଇସି ଜୟନ୍ତ ଦଳାଇ ଓ ବିକେ ନାୟକ ସମେତ ତିନି ଜଣିଆ ଏକ ଟିମ ନୀଳଗିରି ସିଡ଼ିପିପିଓ କାର୍ଯାଳୟରେ ଜଗିରହିଥିଲେ । ପୁର୍ବ ପ୍ରସ୍ତୁତି ଅନୁସାରେ ସୁପରଭାଇଜର ସୁବର୍ଣ୍ଣା ସିଂଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେଉ ଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡ଼ିଛି । ଟଙ୍କାରେ କେମିକାଲ ଦେଇଥିବା ବେଳେ ତାଙ୍କ ହାତ ମଧ୍ୟ ରଙ୍ଗ ବାହାରିଥିଲା । ଏନେଇ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା (ନଂ. ୧୯ /୨୧) ରୁଜୁ କରାଯାଇଛି । ତାଙ୍କୁ ଗିରଫ କରି ଜିଲା ମୁଖ୍ୟ ଅଫିସକୁ ନେଇଛି ଭିଜିଲାନ୍ସ ।
