ଆଇପିଏଲ-୨୦୨୧ : ଆଜି ଚେନ୍ନାଇ ଓ ହାଇଦ୍ରାବାଦ ମୁକାବିଲା
ସାରଜା : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ୪୪ତମ ଲିଗ୍ ମ୍ୟାଚ୍ରେ ଗୁରୁବାର ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍ ଜିତି ଚେନ୍ନାଇ ପ୍ଲେ-ଅଫ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି । ସେହିପରି ପ୍ଲେ-ଅଫ୍ରୁ ବାଦ ପଡ଼ି ସାରିଥିବା ସନ୍ରାଇଜର୍ସ ବିଜୟ ଜାରି ରଖି ପଏଣ୍ଟ ତାଲିକାରେ ଉନ୍ନତି ଆଣିବାକୁ ପ୍ରୟାସ କରିବ । ଅଦ୍ୟାବଧି ସୁପର କିଙ୍ଗ୍ସ ୧୦ଟି ମ୍ୟାଚ୍ରୁ ୮ ବିଜୟ ସହ ମୋଟ ୧୬ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି । ପ୍ଲେ-ଅଫ୍ ସ୍ଥାନ ପାଇଁ ଦଳକୁ ଆଉ ଗୋଟିଏ ବିଜୟ ଆବଶ୍ୟକ। ସନ୍ରାଇଜର୍ସ ୧୦ଟି ମ୍ୟାଚ୍ରୁ ୨ଟି ଜିତି ୪ପଏଣ୍ଟ ସହ ନିମ୍ନ ସ୍ଥାନରେ ରହିଛି । ପ୍ରଥମ ଭାଗରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ସୁପର କିଙ୍ଗ୍ସ ୭ ୱିକେଟ୍ରେ ବିଜୟ ହାସଲ କରିଥିଲା । ସନ୍ରାଇଜର୍ସ ଦଳ ଗୁରୁବାର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି ।
ଲଗାତାର ୫ ମ୍ୟାଚ୍ ପରାଜୟ ବରଣ କରି ସଂପୂର୍ଣ୍ଣ ହତୋତ୍ସାହିତ ହୋଇପଡ଼ିଥିବା ହାଇଦ୍ରାବାଦ ଗତ ମ୍ୟାଚ୍ରେ ଅଧିନାୟକ କେନ୍ ୱିଲିୟମସନ୍ଙ୍କ ଅର୍ଦ୍ଧଶତକ ବଳରେ ପରାଜୟ ଧାରା ଭାଙ୍ଗିଥିଲା। ଚଳିତ ଆଇପିଏଲ୍ରେ ୨୪.୩୭ ହାରରେ ୧୮୧ ରନ୍ କରିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣରଙ୍କୁ ଏହି ମ୍ୟାଚ୍ରେ ବାଦ୍ ଦେବା ଭଳି ବଡ଼ ନିଷ୍ପତ୍ତି ନେଇଥିଲେ ୱିଲିୟମ୍ସନ୍। ୨୦୧୬ ବିଜେତା ଦଳର ଏହି ଅଧିନାୟକ ଦ୍ବିତୀୟ ଥର ଲାଗି ଚଳିତ ଋତୁରେ ବାଦ୍ ପଡ଼ିଥିଲେ। ସେ ବାଦ୍ ପଡ଼ିବାରୁ ଇଂଲିସ ପ୍ରାରମ୍ଭିକ ବ୍ୟାଟର୍ ଜାସନ ରୟଙ୍କୁ ହାଇଦ୍ରାବାଦ ପକ୍ଷରୁ ପଦାର୍ପଣ ସୁଯୋଗ ମିଳିଥିଲା। ଏହି ସୁଯୋଗକୁ ସଦ୍ଉପଯୋଗ କରିବା ସହ ରୟ ୬୦ ରନ୍ କରି ଦଳର ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ। ଦଳର ୩ ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ, ଭୁବନେଶ୍ବର କୁମାର ଓ ଜାସନ ହୋଲଡର ଶେଷ ଓଭରଗୁଡ଼ିକରେ ସୁନ୍ଦର ବୋଲିଂ କରିଥିଲେ। ଶେଷ ୧୭ ବଲ୍ରେ ଏହି ୩ ଜଣ ଗୋଟିଏ ହେଲେ ବାଉଣ୍ଡରି ପାଇନଥିଲେ ଏବଂ ବିପଦପୂର୍ଣ୍ଣ ବ୍ୟାଟର୍ ସଂଜୁ ସାମସନଙ୍କୁ ମଧ୍ୟ ଆଉଟ୍ କରି ୫ ମ୍ୟାଚ୍ ପରେ ଦଳର ପ୍ରଥମ ବିଜୟରେ ନିଜର ଅବଦାନ ରଖିଥିଲେ। ସେହିପରି ରିଦ୍ଧିମାନ ସାହା ଏବଂ ପ୍ରିୟମ ଗର୍ଗ ମଧ୍ୟ ଫର୍ମକୁ ପେରିବାର ସଂକେତ ଦେଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ହ୍ୟାଟ୍ରିକ ବିଜୟ ସହ ପ୍ଲେ ଅଫ୍ ସ୍ଥାନ ପ୍ରାୟ ପକ୍କା କରିନେଇଛି। କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ରବିବାର ମ୍ୟାଚ୍ରେ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ପୁଣି ନିଜ କମାଲ ଦେଖାଇଥିଲେ। ତାଙ୍କ ୮ ବଲ୍ ୨୨ ରନ୍ ବଳରେ ଚେନ୍ନାଇ ଶେଷ ବଲ୍ରେ ୨ ୱିକେଟ୍ରେ ବିଜୟ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ’ପ୍ଲେସିସ୍ ଓ ଭାରତୀୟ ଯୁବ ବ୍ୟାଟର୍ ଋତୁରାଜ ଗାଏକ୍ବାଡଙ୍କ ଯୋଡ଼ି ଭଲ ଆରମ୍ଭ କରୁଛନ୍ତି। ମୋଇନ ଅଲ୍ଲୀ, ସୁରେଶ ରାଇନା ଓ ଅମ୍ବାତି ରାୟୁଡ଼ୁ ମଧ୍ୟ ଏମାନଙ୍କୁ ସହଯୋଗ କରୁଛନ୍ତି। ଋତୁରାଜ ଗତ ୩ ମ୍ୟାଚ୍ରେ ୪୦, ୩୮, ଅପରାଜିତ ୮୮ ରନ୍ କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ଚେନ୍ନାଇକୁ ପାୱାର ପ୍ଲେରେ ଦୃଢ଼ ରଖୁଛି। ବୋଲିଂ ବାହିନୀ ହାଇଦ୍ରାବାଦଠୁ ଦୂର୍ବଳ ଜଣାପଡ଼ୁଛି। କୋଲ୍କାତା ବିପକ୍ଷ ମ୍ୟାଚ୍ରେ ୱେଷ୍ଟ୍ଇଣ୍ଡିଜ୍ ଅଲ୍ରାଉଣ୍ଡର ଡ୍ବେନ୍ ବ୍ରାଭୋଙ୍କୁ ବିଶ୍ରାମ ଦିଆଯାଇଥିଲେ। ତେବେ ତାଙ୍କ ସ୍ଥାନରେ ଖେଳିଥିବା ସାମ କରନ ୪ ଓଭରରେ ୫୬ ରନ୍ ଦେଇ ପ୍ରଭାବହୀନ ରହିଥିଲେ।
ସମ୍ଭାବ୍ୟ ସନ୍ରାଇଜର୍ସ ହାଇଦ୍ରାବାଦ ଏକାଦଶ: ଜାସନ ରୟ, ରିଦ୍ଧିମାନ ସାହା, କେନ ୱିଲିୟମସନ୍ (ଅଧିନାୟକ), ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ ସାମଦ, ଜାସନ ହୋଲଡର, ରସିଦ ଖାନ, ଭୁବନେଶ୍ବର କୁମାର, ସିଦ୍ଧାର୍ଥ କୌଲ, ସନ୍ଦୀପ ଶର୍ମା।
ସମ୍ଭାବ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ଋତୁରାଜ ଗାଏକ୍ବାଡ, ଫାଫ ଡୁ’ପ୍ଲେସିସ୍, ମୋଇନ ଅଲ୍ଲୀ, ଅମ୍ବାତି ରାୟୁଡ଼ୁ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ରବୀନ୍ଦ୍ର ଜାଦେଜା, ସାମ କରନ/ଡ୍ବେନ୍ ବ୍ରାଭୋ, ଶାର୍ଦୁଳ ଠାକୁର, ଦୀପକ ଚହର, ଜୋସ ହାଜଲେଉଡ/ଲୁଙ୍ଗି ଏନ୍ଗିଡି।
