ପିପିଲି ଉପ-ନିର୍ବାଚନ : କାଲି ସକାଳେ ଭୋଟିଂ
ଭୁବନେଶ୍ଵର : ଆସନ୍ତାକାଲି ପିପିଲି ଉପନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ଆରମ୍ଭ ହେବ ଭୋଟିଂ । ଏହାକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଛି । ଏହି ପରିପ୍ରେକ୍ଷୀରେ ବୁଥକୁ ସାନିଟାଇଜ କରାଯାଇଛି । ପୋଲିଂ ପାର୍ଟି ବୁଥରେ ପହଞ୍ଚି ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଅତି ସମ୍ବେଦନଶୀଳ ବୁଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଏସଏଫ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଏସପି। ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର। ପିପିଲି ଉପନିର୍ବାଚନ ପାଇଁ ୩୪୮ଟି ପୋଲିଂ ବୁଥ୍ କରାଯାଇଛି । ଏଥିରୁ ୧୦୨ଟି ଅତି ସମ୍ବେଦନଶୀଳ ଥିବାବେଳେ ୭୩ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ୧୭୫ଟି ଯାକ ବୁଥରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୨୩ଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ ରହିବେ । ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯିବ। ୨୦ ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଏପଟେ ଭୋଟ ପୂର୍ବରୁ ପିପିଲିରେ ଆଇନଶୃଙ୍ଖଳାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପି ପିପିଲି ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ବିଗିଡିଥିବା ନେଇ ଅଭିଯୋଗ ଆଣିଛି ।
ଭୋଟ ଗ୍ରହଣ ବେଳେ ଇଭିଏମ ମେସିନରେ ବୈଷୟିକ ତ୍ରୁଟି ଦେଖାଦେଲେ ତାକୁ ସଜାଡିବାକୁ ପାଇଁ ୮ ଜଣ ଇଞ୍ଜିନିୟର ଆଲର୍ଟ କରାଯାଇଛି। ପ୍ରାୟ ୭୦ ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। କୋଭିଡ ନିୟମ ଅନୁସାରେ ସବୁ ବୁଥକୁ ସାନି ଟାଇଜ କରାଯାଇଛି। ସବୁ ବୁଥରେ କୋଭିଡ ଭଲ୍ୟୁଣ୍ଟର ରହିବେ। ଯେଉଁମାନେ ଭୋଟ ଦେବାକୁ ଆସିବେ ତାପମାତ୍ର ଥର୍ମାଲ ସ୍କାନିଂରେ ମାପିବା ପରେ ଭୋଟ ଗ୍ରହଣ କେନ୍ଦ୍ରକୁ ଛଡାଯିବ। ଯେଉଁ ମାନଙ୍କ ତାପମାତ୍ର ଅଧିକ ଥିବ ସେମାନେ ଓ କୋଭିଡ ଆକ୍ରାନ୍ତ ମାନେ ଶେଷ ଘଣ୍ଟାରେ ଭୋଟ ଦେବେ। ଯେଉଁ ମାନଙ୍କର ଭୋଟ ପରିଚୟ ପତ୍ର ନଥିବ ସେମାନେ ଡ୍ରାଇଭିଂ ଲାଇସେନସ, ଅଧାର କାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୂକ ଭଳି ୧୧ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ। ଭୋଟ ଗ୍ରହଣ ପାଇଁ କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଉଭୟ ପିପିଲି ଡେଲାଙ୍ଗ ବ୍ଲକରେ ନିଜେ ଏସପି ବୁଥକୁ ବୁଥ ବୁଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସୁରକ୍ଷାକୁ ନଜରରେ ରଖି ପୂରା ନିର୍ବାଚନ ମଣ୍ଡଳୀକୁ ସେକ୍ଟର ଓ ଜୋନରେ ବିଭକ୍ତ କରାଯାଇଛି। ୩ କମ୍ପାନୀ ବିଏସଏଫ, ୨୨ ପ୍ଲାଟୁନ ପୋଲିସ ଫୋର୍ସ, ୩ ଜଣ ଅତିରିକ୍ସ ଏସପି, ୭ ଜଣ ଡିଏସପି ଏବଂ ୨୦ ଜଣ ଇନସପେକ୍ଟର କୁ ମୁତୟନ କରାଯାଇଛି। ୧୦ଟି ସ୍ଥାନରେ ନାକାବନ୍ଦୀ କରାଯାଇ ତନ୍ନତନ୍ନ କରି ଯାଞ୍ଜ କରାଯାଇଛି। ସମ୍ବେଦନଶୀଳ ବୁଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତ ପୁରୀ ଏସପି ।
