ଦେଶରେ ଆଉ ୧୮,୮୭୦ କରୋନା ସଂକ୍ରମିତ ଚିହ୍ନଟ ଓ ୩୭୮ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ ଅଧିକ ରହିଛି । ସଂକ୍ରମିତଙ୍କ ହାର ସଂପ୍ରତି ୧%ରୁ ତଳେ ଅର୍ଥାତ ୦.୮୪% ରହିଛି । ଦିନକ ମଧ୍ୟରେ ୨୮,୧୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ୧.୨୫% ଏବଂ ସାପ୍ତାହିକ ସଂକ୍ରମଣ ୧.୮୨% ରହିଛି । ଏଥିସହିତ ଆରୋଗ୍ୟ ହାର ୯୮.୮୩% ରହିଛି । ଦେଶରେ ସଂପ୍ରତି ୨,୮୨,୫୨୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୧୯୪ ଦିନ ମଧ୍ୟରେ ସର୍ବନିମ୍ନ ସ୍ତର । ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୬.୭୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ଦେଶରେ ମୋଟ ୮୭.୬୬ କୋଟି ପାନ କୋଭିଡ ଟିକା ଦିଆଯାଇଛି ।
ବୁଧବାର ଗତ ୨୪ଘଣ୍ଟାରେ ୧୮ହଜାର ୮୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨୮ହଜାର ୧୭୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୭ଲକ୍ଷ ୧୬ହଜାର ୪୫୧କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୭ହଜାର ୭୫୧ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୨୯ଲକ୍ଷ ୮୬ହଜାର ୧୮୦ଜଣ ସୁସ୍ଥ ହୋଇଥିବା ବେଳେ ୨ଲକ୍ଷ ୮୨ହଜାର ୫୨୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
