ପିପିଲି ଉପନିର୍ବାଚନ : ସରିଲା ପ୍ରଚାର, ଗୁରୁବାର ଭୋଟ୍
ପିପିଲି : ପିପିଲି ଉପନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର । ଆଜି ବିଜେଡି ନେତା ଓ କର୍ମୀ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ବିଜେପି ଶେଷ ଦିନରରେ ହାଇ ଭୋଲଟେଜ ପ୍ରଚାର କରିଛି । ଏପଟେ କଂଗ୍ରେସ ମଧ୍ୟ ଶେଷ ଦିନରେ ଥଣ୍ଡା ପାଗରେ ବେଶ୍ ଝାଳ ବୁହାଇଛି । ପିପିଲିରେ ଫନି ଘରଭଙ୍ଗା ବଡ଼ ଇସ୍ୟୁ ହୋଇଥିବା ବେଳେ ବିଜେଡି ତାର ଗଡ଼ ରକ୍ଷା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଛି।
ପିପିଲି ଉପନିର୍ବାଚନ ମଇଦାନରେ ମୋଟ ୧୦ଜଣ ପ୍ରାର୍ଥୀ ରହିଥିଲେ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ପ୍ରକାରର ଏକଜିଟ୍ ପୋଲ ଉପରେ ନିର୍ବାଚନ କମିଶନ କଟକଣା ଜାରି ରହିଛନ୍ତି। କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜବ୍ୟୁରୋ, ରେଡିଓ ଓ ଟିଭି ଚ୍ୟାନେଲ ଭୋଟ ଫଳାଫଳର ପୂର୍ବାନୁମାନ ପ୍ରକାଶ କିମ୍ବା ପ୍ରସାରଣ କରିପାରିବେ ବୋଲି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ପାଇଁ ମୋଟ ୩୪୮ ବୁଥରେ ଭୋଟଗ୍ରହଣ କରାଯିବ। ଏହି ବୁଥ ମଧ୍ୟରୁ ପ୍ରାୟ ୧୦୨ଟି ବୁଥକୁ ଅତିସମ୍ବେଦନଶୀଳ ଘୋଷଣା କରାଯାଇ ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ୍ ଗାଇଡଲାଇନକୁ ପାଳନ କରି ଭୋଟଗ୍ରହଣ କରାଯିବ । ସାନିଟାଇଜର, ଥର୍ମାଲ ସ୍କାନିଂ ଆଦି ବ୍ୟବସ୍ଥା ପ୍ରତ୍ୟେକ ବୁଥରେ କରାଯିବ। ଏଥିପାଇଁ ମୋଟ ୧୭୪୦ଜଣ ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ୩୪୦ଜଣଙ୍କୁ ରିଜର୍ଭ ରଖାଯାଇଛି । ମୋଟ ୨.୨୯ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ ବୋଲି ସୂଚନା ମିଳିଛି। ଭୋଟ ଗ୍ରହଣ ଗୁରୁବାର ହେବାକୁ ଥିବାବେଳେ ପିପିଲିରେ ଡେରା ପକାଇଥିବା ନିର୍ବାଚନମଣ୍ଡଳୀ ବାହାରର ନେତାମାନଙ୍କୁ ସ୍ଥାନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଯେ, କାଲି ପୋଲିଂ ପାର୍ଟି ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ। ଏଥିନିମନ୍ତେ ପୁରୀ ପେଣ୍ଠକଟା ସ୍ଥିତ ୱେର ହାଉସଠାରୁ ପୋଲିଂ ପାର୍ଟି ଯାତ୍ରା କରିବ । ପୋଲିଂ ପାର୍ଟିଙ୍କ ସୁବିଧା ନିମନ୍ତେ ୧୦ଟି କାଉଣ୍ଟରର ବ୍ୟବସ୍ଥା ରହିଛି । ସୂଚନା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ଓ ଅଗ୍ନିଶମ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୩୦ ତାରିଖରେ ୩୪୮ଟି ମତଦାନ କେନ୍ଦ୍ରରେ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ମତଦାନ ହେବ । ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ।
