ପିପିଲିରେ ନିର୍ବାଚନୀ ହିଂସା : ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
ନିମାପଡା : ପିପିଲିରେ ନିର୍ବାଚନୀ ହିଂସା । ଭୋଟ୍ର ୨ ଦିନ ପୂର୍ବରୁ ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ । ନିର୍ବାଚନ ପୂର୍ବରୁ ଏହି ଘଟଣା ନିର୍ବାଚନମଣ୍ଡଳୀର ରାଜନୀତି ପାଣିପାଗକୁ ସରଗରମ କରିଦେଇଛି ।
ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ବିପକ୍ଷ ପ୍ରାର୍ଥୀଙ୍କୁ ଶବ୍ଦବାଣରେ ଆକ୍ରମଣ ମଧ୍ୟ କରୁଛନ୍ତି । ଆରୋପ ପ୍ରତ୍ୟୋରପ ରାଜନୀତି ବି ଲାଗି ରହିଛି । ତେବେ ଭୋଟ ଯେତିକି ପାଖଉଛି ନିର୍ବାଚନୀ ଉଷ୍ମତା ସେତେ ବଢିବାରେ ଲାଗିଛି । ଏହାମଧ୍ୟରେ ବିଜେପି କାର୍ଯ୍ୟାଳୟକୁ ପୋଡ଼ିବାକୁ କିଛି ଦୁର୍ବୁତ୍ତ ଉଦ୍ୟମ କରିଛନ୍ତି । ରବିବାର ରାତି ପ୍ରାୟ ଗୋଟାଏ ସମୟରେ ଦୁର୍ବୃତ୍ତମାନେ ପିପିଲି ସାତଶଙ୍ଖ ବିଜେପି କାର୍ଯ୍ୟାଳୟ ପୋଡିବା ସହ ବିଅର ବୋତଲରେ ପେଟ୍ରୋଲ ପୁରାଇ ମାଡ କରିଥିଲେ। ଫଳରେ ନିଆଁ ଲାଗିଯାଇଥିଲା । ବିଜେପି କର୍ମୀମାନେ ନିଆଁକୁ ଆୟତ୍ତ କରିଥିଲେ । ଯଦ୍ୱାରା ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇ ନଥିବାବେଳେ ଅଫିସ୍ ବାହାରେ ନିର୍ମାଣ କରାଯାଇଥିବା ଏକ ତମ୍ବୁ କ୍ଷତିଗ୍ରସ୍ତ ହୋଇଛି। ବୋମାମାଡ଼ ଶବ୍ଦ ଶୁଣି ନିକଟରେ ଥିବା ଏକ ଘରେ ଶୋଇଥିବା ଲୋକେ ଉଠି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପିପିଲି ଥାନା ପୋଲିସ ପହଞ୍ଚି ପେଟ୍ରୋଲ ଭର୍ତ୍ତି ବୋତଲ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ତଦନ୍ତ ଆରମ୍ଭ କରିଛି ।
