ଆଇପିଏଲ-୨୦୨୧ : ମୁମ୍ବାଇକୁ ୫୪ ରନ୍ରେ ହରାଇଲା ବାଙ୍ଗାଲୋର
ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ୩୯ତମ ମ୍ୟାଚ୍ରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ମୁମ୍ବାଇକୁ ୫୪ ରନ୍ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ବିଜୟ ସହ ବାଙ୍ଗାଲୋର ୧୨ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ତୃତୀୟରେ ଥିବା ବେଳେ ମୁମ୍ବାଇ ହାଟ୍ରିକ୍ ପରାଜୟ ସହ ଟେବୁଲ ତାଲିକାରେ ଅଷ୍ଟମରେ ରହିଛି ।
ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟ ଓଭରରେ ମୁମ୍ବାଇର ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରା ଇନ୍ ଫର୍ମ ଆରସିବି ଓପ୍ନର ଦେବଦତ୍ତ ପାଡିକଲଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ କୋହଲି ଓ ଶ୍ରୀକର ଭରତ ଦ୍ୱିତୀୟ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଭରତ ୩୨ (୨୪ ବଲ୍, ୨ ଚୌକା, ୨ ଛକା) ରନ୍ କରି ରାହୁଲ୍ ଚହରଙ୍କ ଶିକାର ହୋଇଥିଲେ। କୋହଲି ଓ ମ୍ୟାକ୍ସୱେଲଙ୍କ ଯୋଡ଼ି ତୃତୀୟ ୱିକେଟ୍ ପାଇଁ ୫୧ ରନର ଭାଗିଦାରୀ କରି ଆରସିବିକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। କୋହଲି କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ। କିନ୍ତୁ ସେ ପୁଣିଥରେ ଅର୍ଦ୍ଧଶତକ ପରେ ନିଜ ୱିକେଟ୍ ହରାଇ ବସିଥିଲେ। କୋହଲିଙ୍କୁ ଆଡାମ୍ ମିଲନେ ଆଉଟ୍ କରିଥିଲେ। ଏବି ଡି’ଭିଲିୟର୍ସ ଛକା ମାରି ଶୁଭାରମ୍ଭ କରିଥିଲେ, କିନ୍ତୁ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ। ମ୍ୟାକ୍ସୱେଲ୍ ୩୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ବୁମ୍ରାଙ୍କ ୟର୍କର ବଲକୁ ମାରିବାକୁ ଯାଇ ମ୍ୟାକ୍ସୱେଲ୍ ଲଙ୍ଗ ଅନରେ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ ଡି’ଭିଲିୟର୍ସ (୧୧)ଙ୍କୁ ମଧ୍ୟ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ବୁମ୍ରା। ଶାହବାଜ ଅହମ୍ମଦ (୧)ଙ୍କୁ ବୋଲ୍ଟ କ୍ଲିନ୍ ବୋଲ୍ଡ କରିଥିବା ବେଳେ ଡାନିଏଲ୍ ଖ୍ରୀଷ୍ଟିଆନ୍ (୧) ଓ କାଇଲ୍ ଜେମିସନ୍ (୨) ଅପରାଜିତ ଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ବୋଲ୍ଟ, ମିଲନେ ଓ ରାହୁଲ୍ ଚହର୍ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
ଜବାବରେ ମୁମ୍ବାଇ ୧୮.୧ ଓଭରରେ ସମସ୍ତ ୱିକେଟ ହରାଇ ୧୧୧ ରନ୍ କରିବାରେ ସକ୍ଷମ ହୋଇଥିଲା । ବାଙ୍ଗାଲୋର ପକ୍ଷରୁ ଏହି ମ୍ୟାଚରେ ଦମ୍ଦାର ବୋଲିଂ ଦେଖିବାକୁ ମିଳିଥିଲା । ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ହାଟ୍ରିକ୍ ୱିକେଟ ସହ ୪ଟି ୱିକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ୩ଟି, ଗ୍ଲେନ୍ ମ୍ୟାକ୍ସୱେଲ ୨ଟି ଓ କାଇଲ୍ ଜାମିସନ୍ ଗୋଟିଏ ୱିକେଟ ନେଇ ବାଙ୍ଗାଲୋରକୁ ବିଶାଳ ବିଜୟ ଦେଇଥିଲେ ।
