ସନ୍ଧ୍ୟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା : ଏସଆରସି
- ଆସନ୍ତାକାଲି ୯ଟା ଯାଏଁ କେହି ଘରୁ ବାହାରନ୍ତୁ ନାହିଁ
- ତଳିଆ ଅଞ୍ଚଳ ଓ କଚ୍ଚା ଘରେ ଥିବା ଲୋକଙ୍କୁ କରାଯାଉଛି ସ୍ଥାନାନ୍ତରଣ, ଗର୍ଭବତୀଙ୍କୁ ପ୍ରାଧାନ୍ୟ
ଭୁବନେଶ୍ୱର : ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଗୁଲାବ’ ମାଡ଼ି ଆସୁଛି । ‘ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଗୋପାଳପୁର ଠାରୁ ଦକ୍ଷିଣ ପୂର୍ବରେ ୧୩୫ କିମି ଦୂରରେ ବାତ୍ୟା ଗୁଲାବ ରହିଥିବା ବେଳେ କଳିଙ୍ଗପାଟଣମ ଠାରୁ ପୂର୍ବରେ ୧୮୦ କିମି ଦୂରରେ ରହିଛି । ବିଗତ ୩ ଘଣ୍ଟା ହେଲା ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି ବାତ୍ୟା । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସନ୍ଧ୍ୟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବାତ୍ୟା ’ଗୁଲାବ’ଉପକୂଳ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ଧୀରେ ଧୀରେ ପବନର ବେଗ କମିବ । ଏହାପରେ ୬୦ରୁ ୭୦ କିମି ବେଗରେ ଗଂଜାମ ଗଜପତିରେ ପବନ ହେବାର ସମ୍ଭାବନା । କୋରାପୁଟ, ରାୟଗଡା, ଗଜପତିରେ ଆସନ୍ତାକାଲି ପ୍ରଭାବ ରହିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଏସ୍ଆର୍ସି ସୂଚନା ଦେଇଛନ୍ତି । ଏସଆରସିଙ୍କ ଆକଳନ ଅନୁଯାୟୀ, ବାତ୍ୟା ପୂର୍ବରୁ ଓ ପରେ ମୁଖ୍ୟତଃ ୩ ପ୍ରକାର ସମସ୍ୟା ହେବାର ସମ୍ଭାବନା ରହିଛି। ପବନ, ଭୂସ୍ଖଳନ ଓ ବନ୍ୟା ହେବାର ସମ୍ଭାବନା ରହିଛି । ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ । ଗଛ ଓ ଖୁଣ୍ଟି ଉପୁଡିପାରେ । ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ରହିଛି। ନାଗାବଳି, ଋଷିକୂଲ୍ୟା ଓ ବଂଶଧାରାରେ ବନ୍ୟା ପାଣି ଆସିପାରେ । ଫ୍ଲାସ୍ ଫ୍ଲଡ୍ ଆସିପାରେ। ଏଥିପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ଋଷିକୂଲ୍ୟାର ରିଜର୍ଭରରେ ଥିବା ପାଣି ୬୦ ପ୍ରତିଶତକୁ ଖସାଇ ଦିଆଯିବ । ବଡ ବନ୍ୟାର ଆଶଙ୍କା ନାହିଁ । ବଡ ଧରଣର ବନ୍ୟାକୁ ମୁକାବିଲା ପାଇଁ କିଛି ଡ୍ୟାମ ଓ କେନାଲରୁ ପାଣି ନିଷ୍କାସନ କରାଯାଉଛି । ସବୁ ଉଦ୍ଧାରକାରୀ ଦଳ ଆଲର୍ଟ ଅଛନ୍ତି । କୋଷ୍ଚଗାର୍ଡ ଓ ନାଭାଲର ସହାୟତା ପାଇଁ ଆଲୋଚନା ହୋଇଛି । ସବୁ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିଛନ୍ତି । କେବଳ ପାରଦ୍ବୀପରେ ଗୋଟିଏ ବୋଟ୍ ଖରାପ ଅଛି, କୋଷ୍ଟ ଗାର୍ଡ ଉଦ୍ଧାର କରୁଛି ।
ସେପଟେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ବାତ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି । କଳାହାଣ୍ଡିକୁ ସତର୍କ କରାଯାଇଛି । ଏହା ବାଦ ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁରକୁ ହାଇ ଆଲର୍ଟ କରାଯାଇଛି । ଦିନ ୪ଟା ସୁଦ୍ଧା ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରାଯିବ । ସ୍ଲୋପ୍ , କଚ୍ଚା, ଲୋ ଲାଇନ ଏରିଆରୁ ସ୍ଥାନାନ୍ତରଣ କରାଯିବ । ଏସଓପି ଅନୁସାରେ ସମସ୍ତ କାର୍ଯ୍ୟ ହେବ । ଗର୍ଭବତୀଙ୍କୁ ପ୍ରଧାନ୍ୟ ଦିଆଯିବ । କୌଣସି ପ୍ରାଣ ହାନୀ ନ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ନିୟମ ପାଳନ କରାଯିବ , ସେଲଟର୍ ହୋମରେ ଅଳ୍ପ ଅଳ୍ପ ଲୋକଙ୍କୁ ରଖାଯିବା ପାଇଁ ନିର୍ଦ୍ଦେଶ । ସେମାନେ ଫେରିବା ପରେ କୋଭିଡ୍ ଲକ୍ଷଣ ଉପରେ ନଜର ରଖାଯିବ । କଳାହାଣ୍ଡିରେ ଅଧିକ ସତର୍କ ରଖାଯାଇଛି । କାରଣ ବାତ୍ୟାକୁ କେବେ ସମ୍ମୁଖୀନ କରି ନାହାନ୍ତି ଜିଲ୍ଲାବାସୀ । ଆସନ୍ତା ୨ ଦିନ ପାଇଁ ସ୍କୁଲ ବନ୍ଦ । ମଂଗଳବାର ସ୍ଥିତି ଦେଖି ସ୍କୁଲ ଖୋଲିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ସମସ୍ୟା ଆସିଲେ ଏସଆରସିଙ୍କ ଅଫିସକୁ ଜଣାଇବେ । ଏସଆରସିଙ୍କ ପକ୍ଷରୁ ଅନୁରୋଧ , ସେ ଆଜି ସଂଧ୍ୟାରୁ ଆସନ୍ତା କାଲି ୯ଟା ଯାଏଁ କେହି ବାହାରକୁ ଯାଅନ୍ତୁ ନାହିଁ । କଚ୍ଚା ଘରେ ଥିଲେ ପକ୍କା ଘରକୁ ଯାଅନ୍ତୁ । ପାହାଡିଆ ଅଞ୍ଚଳରେ ନଦୀ, ନାଳରେ ପାଣି ଫସିବାର ସମ୍ଭାବନା ଅଛି । ତେଣୁ ପାଣି ଥିବା ବେଳେ କେହି ପ୍ରବେଶ କରନ୍ତୁ ନାହିଁ । ଯାତାୟତ କରନ୍ତୁ ନାହିଁ ବୋଲି କହିଛନ୍ତି ।
