ଦନ୍ତା ହାତୀର ଉପଦ୍ରବ : ଗାଁରେ ପଶି ୧୧ ଘର ଭାଙ୍ଗିଲା, ଦେଢ଼ ଘଣ୍ଟା ଟ୍ରେନ ଚଳାଚଳ ଠପ୍
ବାଲେଶ୍ୱର : ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତକୁ ଶୁକ୍ରବାର ରାତିରେ ଏକ ଦନ୍ତା ହାତୀ ପଶିଆସି ତାଣ୍ଡବ ରଚିଛି । ହାତୀଟି ୧୧ ଜଣଙ୍କ ଘର ଭାଙ୍ଗିବା ସହ ବହୁ ଆସବାବପତ୍ର, ଧାନଚାଉଳ ଓ ଚାଷଜମିକୁ ଦଳିମକଚି ନଷ୍ଟ କରିଛି । ଗ୍ରାମବାସୀଙ୍କ ସହାୟତାରେ ବନବିଭାଗ ଅଧିକାରୀ ବିବେକାନନ୍ଦ ଜେନା, ଫରେଷ୍ଟ ଗାର୍ଡ ମୀନାରାଣୀ ବେହେରା ଓ ଶଶୀଧର ମହାନ୍ତି ପ୍ରମୁଖ ବନକର୍ମଚାରୀଙ୍କ ସହ ପହଞ୍ଚି ବାଣ ଫୁଟାଇ ରାତିତମାମ୍ ହାତୀ ଘଉଡ଼ାଇବା ପାଇଁ ଉଜାଗର ରହି ନାକେଦମ ହୋଇଥିଲେ ।
ମୟୁରଭଞ୍ଜ ପଟରୁ ବଡ଼ଗୁମା ଦେଇ ରାତିରେ ହାତୀଟି ଲଛମନଖୁଣ୍ଟା ଗାଁରେ ପଶିଥିଲା । ଏହି ଗାଁର ପଇଁତିରି ସିଂ, କୁନି ସିଂ, ଗୋବିନ୍ଦ ସିଂ, ଆଦିକନ୍ଦ ସିଂ, ରାମ ସିଂ, ଅନାଦି ମହାନ୍ତ ଓ ରାମେଶ୍ୱର ମହାନ୍ତଙ୍କ ଘର ଛପର ଓ କାନ୍ଥ ଭାଙ୍ଗି ଜହତା ଗ୍ରାମକୁ ପଶିଥିଲା । ସେଠାରେ ଅକ୍ଷୟ ପଲେଇଙ୍କ ଘର ଭାଙ୍ଗି ଖାଣ୍ଡିଆଘାଇ ପୋଲ ଦେଇ ହୀରାପୁର ନାଗାଖଣି ଗାଁରେ ଉତ୍ପାତ ଦେଖାଇଥିଲା । ସୀମାଲ ଟୁଡୁ ଓ ଛୁଟା ମାଝୀର ଘର ନଷ୍ଟ କରି ରୂପସା ଉତ୍ତର କେବିନ ଓ ବାଖରାବାଦ ଫାଟକ ମଝି ରେଳ ଧାରଣା ପାରି ହୋଇ ବୁଧଖଣ୍ଡି ଗାଁରେ ପଶି ବାବୁ ମଲିକ ଘର ଭାଙ୍ଗିଥିଲା । ପୁଣି ରେଳ ଧାରଣା ପାରିହୋଇ ହାତୀଟି ମୟୁରଭଞ୍ଜର ଭଗବାନପୁର ଗାଁ ନିକଟ ଜଙ୍ଗଲରେ ରହିଥିଲା । ରେଳଧାରଣା ଅତିକ୍ରମ ବେଳେ ବିପଦକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଷ୍ଟେସନ ମ୍ୟାନେଜରଙ୍କୁ ଅବଗତ କରାଯାଇଥିଲା । ଦୀର୍ଘ ଦେଢ଼ ଘଣ୍ଟା ଧରି ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିଲା । ରୂପସା ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସରବରାହ ବିଛିନ୍ନ କରାଯାଇଥିଲା । ଶନିବାର ଦିନ ଯାକ ବନବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଥିଲା ।
