ପୋଲିସ୍ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ହେବ : ଡିଆଇଜି
ବରଗଡ଼ : ଏକ ପୁରୁଣା ମାମଲାରେ ବରଗଡ଼ ଟାଉନ୍ ଥାନା ପୋଲିସ୍ ଜଣେ ଯୁବକଙ୍କୁ ରାତି ଅଧିଆ ଉଠାଇ ନେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ୍ ହେପାଜତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ଆଜି ରଣକ୍ଷେତ୍ର ପାଲଟିଛି ବରଗଡ଼ ଡାକ୍ତରଖାନା ଓ ଗାନ୍ଧି ଛକ। ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ଉତ୍ତ୍ୟକ୍ତ ଲୋକେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ୍ ଲାଠିଚାର୍ଜ ମଧ୍ୟ କରିଛି।
ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣାର ଦୁଇଟି ପୃଥକ ତଦନ୍ତ ହେବ। ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ଏହି ସୂଚନା ଦେଇଛନ୍ତି। ଏହି ଘଟଣାର ଏଚ୍ଆର୍ପିସି ଓ ନ୍ୟାୟିକ ତଦନ୍ତ ହେବ। ଆସନ୍ତାକାଲି ଏନଏଚଆରସି ଗାଇଡ୍ଲାଇନ୍ ଅନୁସାରେ ମୃତଦେହର ବ୍ୟବଚ୍ଛେଦ କରାଯିବ। ଏକ ମାରପିଟ ମାମଲାରେ ବରଗଡ଼ ଟାଉନ ଥାନା ପୁଲିସ ତୋରା ଗାଁର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦଙ୍କୁ ଶୁକ୍ରବାର ରାତିରେ ଉଠାଇ ନେଇଥିଲା। ଆଜି ଭୋରରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେଣୁ ତାଙ୍କୁ ପୁଲିସ୍ ପିଟି ପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗୋବିନ୍ଦଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରିଥିଲେ। ସେହିପରି ଗୋବିନ୍ଦଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ନେଉଥିବା ବେଳେ ସେମାନେ ଛଡ଼ାଇ ନେଇଥିଲେ। ସେମାନେ ମୃତଦେହ ଧରି ଏସ୍ପିଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ତେବେ ଗାନ୍ଧି ଛକରେ ପୁଲିସ୍ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୁଲିସ୍ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା।
