ପିପିଲିରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର
- ପ୍ରଜାତନ୍ତ୍ରରେ ସରକାରୀ କଳ ଏବଂ ବଳ ଠାରୁ ଜନ ବଳ ସବୁଠୁ ଉର୍ଦ୍ଧ୍ୱରେ : ଧର୍ମେନ୍ଦ୍ର ପ୍ରଧାନ
ପିପିଲି : ଓଡ଼ିଆ ସଂସ୍କୃତିର ମୁଖଶାଳା ତଥା କୃଷି ପ୍ରଧାନ ଅଂଚଳ ପିପିଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ପିଏମ ଆବାସ ଯୋଜନାରେ ଘର ସମେତ ଅଂଚଳର ବିକାଶମୂଳକ କାର୍ଯ୍ୟ ପାଇଁ ବିପୁଳ ଅର୍ଥ ଯୋଗାଇବା ସତ୍ୱେ ଦଳୀୟ ପଶାପାଲିରେ ଶାସକ ଦଳ ଦ୍ୱାରା ଏହି ଅର୍ଥକୁ ବାଟମାରଣା କରାଯାଇଛି । ପିପିଲିବାସୀ ଭୋଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଏହି ବାଟମାରଣା ଅର୍ଥର ସଠିକ୍ ଜବାବ୍ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପ୍ରଜାତନ୍ତ୍ରରେ ସରକାରୀ କଳ ଏବଂ ବଳ ଠାରୁ ଜନ ବଳ ସବୁଠୁ ଉର୍ଦ୍ଧ୍ୱରେ ସେ କହିଛନ୍ତି । ଶନିବାର ପିପିଲି ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ଆଶ୍ରି୍ତ ପଟ୍ଟନାୟକଙ୍କ ସମର୍ଥନରେ ପ୍ରଚାର କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ଗତ ଦୁଇ ବର୍ଷ ତଳେ ଫୋନି ମହାବାତ୍ୟା ହୋଇଥିଲା । ପ୍ରଧାନମନ୍ତ୍ରୀ ନିଜେ ଏହି ଅଂଚଳକୁ ବୁଲି ଦେଖିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ଘର ପାଇଁ ଅର୍ଥ, ଘରଭଙ୍ଗା ପାଇଁ ଆର୍ôଥକ ସହାୟତା, ରାସ୍ତା ମରାମତି ତଥା ଅଂଚଳର ଅନ୍ୟାନ୍ୟ ବିକାଶ ପାଇଁ ସାହାଯ୍ୟ ପଠାଇଥିଲେ । ମାତ୍ର ଦଳୀୟ ପଶାପାଲିରେ ପେଶି ହୋଇ ଶାସକ ଦଳ ନିଜ କର୍ମୀ ଓ ସମର୍ଥକ ମାନଙ୍କୁ ମଧ୍ୟସ୍ଥି ଜରିଆରେ କ୍ଷତିଗ୍ରସ୍ତଙ୍କ ପାଇଁ ଆସିଥିବା ସବୁ ଘର ଦେବାକୁ ଷଡ଼ଯନ୍ତ୍ର କଲେ । ଏହି ଷଡ଼ଯନ୍ତ୍ର କାରଣରୁ ଯୋଗ୍ୟ ହିତାଧିକାରୀ ଘର ପାଇଲେ ନାହିଁ । ଫଳରେ ଏହା ବିରୁଦ୍ଧରେ ଜନମତ ତିଆରି ହେଲା ଏବଂ ମୋଦିଙ୍କ ଟଙ୍କାର ସଠିକ୍ କ୍ରିୟାନୟନ ହୋଇପାରିଲା ନାହିଁ ।
ଏହା ଆଜି ପିପିଲିର ମୂଳ ପ୍ରସଙ୍ଗ ଏବଂ ଶାସକ ଦଳର ଅପାରଗତାର ଚରମ ନିଦର୍ଶନ । ପିପିଲିର ଜନସାଧାରଣ ଏହା ବିରୁଦ୍ଧରେ ଏକାଠି ହୋଇ ନିଶ୍ଚିତ ଭାବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବେ । ପିପିଲିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପଠାଇଥିବା ଟଙ୍କାକୁ ଦଳୀୟ କର୍ମୀଙ୍କ ମଧ୍ୟରେ ଆତ୍ମସାତ୍ କରୁଥିବା ଅଭିଯୁକ୍ତ ଏବଂ ମୁଖ୍ୟ ଦୋଷୀ ମାନଙ୍କୁ ଭୋଟ ମାଧ୍ୟମରେ ଜବାବ୍ ଦେବେ । ପିପିଲିରେ ଏଥିର ପରିବର୍ତନ ହେବା ନିଶ୍ଚିତ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାରୀ ଦଳର ଅପାରଗତା ବିରୋଧରେ ଏଠାରେ ଜନଆକ୍ରୋଶ ତଥା ଜନଅସନ୍ତୋଷର ବାତାବରଣ ତିଆରି ହୋଇଛି । ସ୍ଥାନୀୟ ବାସୀନ୍ଦା ଆସନ୍ତା ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇ ଏହାର ଉଚିତ୍ ଜବାବ ଦେବେ । ପ୍ରଜାତନ୍ତ୍ରରେ ସରକାରୀ କଳ ଏବଂ ବଳ ଠାରୁ ଜନ ବଳ ସବୁଠୁ ଉର୍ଦ୍ଧ୍ୱରେ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଜିଲ୍ଲା ପିପିଲି ନିର୍ବାଚନୀ ମଣ୍ଡଳିର ଲକ୍ଷ୍ମୀନାରାୟଣପୁର, ଗୁଡ଼ିଆ ପଖୋରୀ, ନୂଆ ଶାସନ, ଡେଲାଙ୍ଗ, ସଁପୁର, ମଙ୍ଗଳପୁର, ଚନ୍ଦ୍ରାଦେଇପୁର, ମୌଜିବେଗ୍, ନୂଆହାଟ, କୁମାରେସ୍ୱର, ବୀରପୁରୁଷତୋମପୁର, ବେରବୋଇ ଓ ଡ଼େଲାଙ୍ଗ ସମେତ ବିଭିନ୍ନ ଅଂଚଳରେ ନିର୍ବାଚନ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀ ଆଶ୍ରିତ୍ ପଟ୍ଟନାୟକଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।
