ବ୍ରଜରାଜନଗର ଟ୍ରିପଲ୍ ମର୍ଡ଼ର ଘଟଣା : ଆଜି ସ୍ୱାମୀର ମୃତଦେହ କୂଅରୁ ଠାବ
ଝାରସୁଗୁଡ଼ା : ବ୍ରଜରାଜନଗର ଟ୍ରିପଲ୍ ମର୍ଡ଼ର ଘଟଣାରେ ଆଜି ସ୍ୱାମୀର ମୃତଦେହ ଘର ନିକଟ ଏକ କୂଅରୁ ଠାବ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାର ଏକ କୂଅରେ ତାଙ୍କ ମୃତଦେହ ଠାବ ହୋଇଛି । ଗତକାଲି ପତ୍ନୀ ଓ ଦୁଇ ଝିଅଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଥିଲା । ତେବେ କିଏ ଓ କାହିିଁକି ପରିବାରର ୪ ଜଣଙ୍କୁ ହତ୍ୟା କଲା ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଘଟଣାରେ ଗତକାଲି ଠାରୁ ଦିଅରକୁ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ । ବ୍ରଜରାଜନଗର ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାରେ ବୁଧବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଏଥିରେ ଗୋଟିଏ ପରିବାରର ମା, ୨ ଝିଅଙ୍କୁ ହତ୍ୟା କରାଯାଇଥିଲା । ତଂଟିଚିପି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମୃତକଙ୍କ ମଧ୍ୟରେ ନାରାୟଣ ପୋଦାରଙ୍କ ସ୍ତ୍ରୀ ସୋନି ପୋଦାର(୩୦), ବଡ ଝିଅ ରାଧିକା(୫) ଓ ସାନ ଝିଅ ମୁସ୍କାନ(୩)ବୋଲି ଜଣାପଡ଼ିଥିଲା । ମୃତକଙ୍କ ସ୍ୱାମୀ ନାରାୟଣ ଫେରାରଥିବା କୁହାଯାଇଥିବାବେଳେ ଦିଅର କଳାକାହ୍ନୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ହତ୍ୟାକାଣ୍ଡକୁ ନେଇ ଫେରାର ସ୍ୱାମୀ ନାରାୟଣଙ୍କ ଉପରେ ପୋଲିସର ସନ୍ଦେହ ହେଉଥିଲା । ହେଲେ ଫେରାର କୁହାଯାଉଥିବା ସ୍ୱାମୀ ନାରାୟଣଙ୍କ ମୃତଦେହ ଘର ନିକଟ କୂଅ ଭିତରେ ଭାସୁଥିବାର ଗୁରୁବାର ସକାଳେ ଦେଖିବାକୁ ମିଳିଛି । ଖବର ପାଇ ବ୍ରଜରାଜନଗର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସ୍ୱାମୀ ନାରାୟଣ କୂଅକୁ ଡେଇଁ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟାକରି କୂଅ ଭିତରକୁ ଫିଙ୍ଗି ଦେଇଛି । ଏନେଇ ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିଦେଇ ତଦନ୍ତ ଚଳାଇଛି ।
