ସୁବର୍ଣ୍ଣରେଖାରେ ଭାସିଯାଇ ବୃଦ୍ଧା ନିଖୋଜ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧିନ ଲକ୍ଷ୍ମଣନାଥ ଗାଁର ଜନୈକା ବୃଦ୍ଧା ନଦୀକୂଳକୁ ଯାଇଥିବା ବେଳେ ଅତଡ଼ା ଖସିଯିବାରୁ ନଦୀରେ ନିଖୋଜ ହୋଇଯାଇଛନ୍ତି । ଘଟଣାର ୩୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ଓଡ୍ରାଫ ଟିମ୍ ଉଦ୍ଧାର କରିବାରେ ସକ୍ଷମ ହୋଇପାରିନାହିଁ ।
ଘଟଣାରୁ ପ୍ରକାଶ, ଲକ୍ଷ୍ମଣନାଥ-ଗୁରୁଦାସପୁର ସେତୁର ଅନତିଦୂରରେ ସ୍ୱର୍ଗତ ପ୍ରଭାକର ରାଉଳଙ୍କ ପୁଅ ଅଶୋକ କୁମାର ରାଉଳ ବସବାସ କରି ଆସୁଥିଲେ । ତାଙ୍କର ୮୨ବର୍ଷୟୀ ମା’ ଲକ୍ଷ୍ମୀପ୍ରିୟା ରାଉଳ ସବୁଦିନ ପରି ଗତ ବୁଧବାର ଦ୍ୱିପ୍ରହରରେ ନଦୀକୂଳକୁ ଶୌଚ ଲାଗି ଯାଇଥିଲେ । କିନ୍ତୁ ଦୀର୍ଘ ସମୟଧରି ସେ ନଫେରିବାରୁ ଘରେ ଖୋଜାଖୋଜି ଆରମ୍ଭ କରିଥିଲେ । ଖୋଜାଖୋଜି ବେଳେ ସୁବର୍ଣ୍ଣରେଖା ନଦୀର ଅତଡ଼ା ଖସୁଥିବା ସ୍ଥାନ ନିକଟରେ ତାଙ୍କ ନାଲି ଚପଲ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଅପରାହ୍ନରେ ପୋଲିସ୍ ଖବର ପାଇ ଜଳେଶ୍ୱରରେ ଥିବା ଓଡ୍ରାଫ ଟିମ୍କୁ ଖବର ଦିଆଯାଇଥିଲା । ସନ୍ଧ୍ୟାଯାଏ ଓଡ୍ରାଫ ଟିମ୍ ଲକ୍ଷ୍ମଣନାଥରୁ ରାଜଘାଟ ଯାଏ ଖୋଜାଖୋଜି କରିଥିଲେ ମଧ୍ୟ ଲକ୍ଷ୍ମୀପ୍ରିୟାର କୌଣସି ସନ୍ଧାନ ପାଇନଥିଲେ । ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଖବର ମିଳିନଥିବା ପରିବାର ସୂତ୍ରରୁ ପ୍ରକାଶ ।
