ପରକୀୟା ପ୍ରୀତିର କରୁଣ ପରିଣତି : ବିବାହିତା ପ୍ରେମିକାର ଷଡ଼ଯନ୍ତ୍ରରେ ପ୍ରେମିକକୁ ହତ୍ୟା, ବିଲ ମଝିରୁ ମୃତଦେହ ଉଦ୍ଧାର
ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଘଣ୍ଟୁଆ ପଞ୍ଚାୟତର ବଡ଼କସବା ଗ୍ରାମରେ ଗୁରୁବାର ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି । ଦଶ ବର୍ଷର ପରକୀୟା ପ୍ରୀତି ପରେ ପ୍ରେମିକାର ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରେମିକର ହତ୍ୟା ଘଟଣା ସମଗ୍ର ଅଞ୍ଚଳ କୁ ସ୍ତବ୍ଧ କରିଦେଇଛି । ମୃତକ ପ୍ରେମିକ ହେଲେ ବଡକସବା ଗ୍ରାମର ତରୁଣ କୁମାର ପାତ୍ର (୩୮) ।
ସୂଚନା ଯେ, ପ୍ରକାଶ ତରୁଣର ନିଜ ଗ୍ରାମର ଜନୈକା ବିବାହିତ ପ୍ରେମିକା ସନ୍ଧ୍ୟା ଜେନା (୩୦) ସହିତ ଦୀର୍ଘ ଦଶ ବର୍ଷରୁ ଅଧିକ ଦିନ ହେବ ଅନୈତିକ ସମ୍ପର୍କରେ ରହିଥିଲା । ଏନେଇ ବିଭିନ୍ନ ସମୟରେ ନିଜ ସ୍ତ୍ରୀ ଅଞ୍ଜଳି ପାତ୍ର ସହିତ ପାରିବାରିକ ଗଣ୍ଡଗୋଳ ମଧ୍ୟ ଲାଗୁଥିଲା । ହେଲେ ତରୁଣ ନିଜର ଦୁଇ ଝିଅ ଏବଂ ସ୍ତ୍ରୀକୁ ବହୁତ ଭଲ ପାଉଥିଲେ ବୋଲି ତରୁଣର ସ୍ତ୍ରୀ କହନ୍ତି । ଅଳ୍ପ ଦିନ ହେବ ପ୍ରେମିକା ସନ୍ଧ୍ୟାର ଅନ୍ୟ ଏକ ପୁରୁଷ ବନ୍ଧୁ ସହିତ ଅନୈତିକ ସମର୍କ ଆରମ୍ଭ ହେବାର ଦେଖି ତରୁଣ ସନ୍ଧ୍ୟାକୁ ତାଗିଦ୍ କରିଥିଲେ । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା । ତରୁଣ ବୁଧୁବାର ସନ୍ଧ୍ୟା ସମୟରେ ଘରୁ ବାହାରି ଯାଇଥିଲେ, ହେଲେ ରାତି ଯାଇ ସକାଳ ଯାଏ ଘରକୁ ଫେରି ନଥିଲେ । ବିଳମ୍ବିତ ରାତ୍ରିରେ ପ୍ରେମିକା ସନ୍ଧ୍ୟା ଘର ଆଗରେ ପାଟି ତୁଣ୍ଡ ହେଉଥିବାର ଖବର ସକାଳେ ଅଞ୍ଜଳି ପଡ଼ୋଶୀଙ୍କ ଠାରୁ ଶୁଣିଥିଲେ । ଏନେଇ ଅଞ୍ଜଳି ବାଲିଆପାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ବାଲିଆପାଳ ଥାନାରେ ୧୬୬/୨୧ରେ ଏକ ମାମଲା ରୁଜୁ କରି ବାଲିଆପାଳ ଥାନା ଆଇଆଇସି ପର୍ଶୁରାମ ସାହୁ, ଏଏସ୍ଆଇ ଫକୀର ଚରଣ ପ୍ରଧାନଙ୍କ ସହିତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ଲୋକଙ୍କୁ ପଚାରିବା ସହିତ ରକ୍ତ ଦାଗକୁ ତଦନ୍ତ କରି ତରୁଣର ମୃତଦେହକୁ ଏକ ଧାନ ବିଲ ମଝିରୁ ଉଦ୍ଧାର କରିଥିଲେ । ଏ ବାବଦରେ ପ୍ରେମିକା ସନ୍ଧ୍ୟା ଜେନା, ସନ୍ଧ୍ୟାର ସ୍ୱାମୀ ରବିନ୍ଦ୍ର ଜେନା, ନୂଆ ପ୍ରେମିକ ଲିପୋନ ଦାସକୁ ପୋଲିସ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ଅଧିକ ତଦନ୍ତ ପାଇଁ ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି ଏବଂ ବାଲେଶ୍ୱର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଜାରି ରଖିଛି ।
