ପେଗାସସ ମାମଲା : ତଦନ୍ତ ପାଇଁ ବିଶେଷଜ୍ଞ ମଣ୍ଡଳୀ ଗଠନ ହେଉଛି
ନୂଆଦିଲ୍ଲୀ : ପେଗାସସ୍ ଗୁଇନ୍ଦାଗିରି ମାମଲାର ତଦନ୍ତ ପାଇଁ ବିଶେଷଜ୍ଞ ମଣ୍ଡଳୀ ଗଠନ ହେଉଛି । ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଗୁରୁବାର ପ୍ରକାଶ କରିଛନ୍ତି । ସୂଚନା ଯେ, ଇସ୍ରାଏଲ ଫାର୍ମ ଏନଏସଓର ସ୍ପାଏୱେୟାର ପେଗାସସ୍ ଭାରତରେ ଅନେକଙ୍କ ମୋବାଇଲ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଛି । ଭାରତରେ ପ୍ରାୟ ୩୦୦ ଜଣଙ୍କ ମୋବାଇଲ ଗୁଇନ୍ଦାଗିରି କରାଯାଇଥିବା ଏଥିରେ ଅଭିଯୋଗ ହୋଇଛି । ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ନେତା, ସାମ୍ବାଦିକ ଓ ଶିଳ୍ପପତିଙ୍କ ନାଁ ଥିବା ସମ୍ନାକୁ ଆସିଥିଲା । ତେବେ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି ।
ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା କହିଛନ୍ତି, ଏହି ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଆଗତ ଯାଚିକା ଉପରେ ସର୍ବୋଚ୍ଚ ଅଦାଲତ ଆସନ୍ତା ସପ୍ତାହରେ ବିଧିବଦ୍ଧ ତାଙ୍କର ରାୟ ଶୁଣାଇବେ। ସୁପ୍ରିମକୋର୍ଟଙ୍କ ପୀଠ କହିଥିଲେ ଯେ ଏ ସଂପର୍କରେ ଆଗତ ଏକାଧିକ ଯାଚିକା ଉପରେ ଶୀଘ୍ର ରାୟ ଶୁଣାଯିବାକୁ ଥିବାବେଳେ ନିରପେକ୍ଷ ତଦନ୍ତ ଉପରେ ଆସନ୍ତା ସପ୍ତାହରେ ରାୟ ପ୍ରକାଶ ପାଇବ। ମାନ୍ୟବର ପ୍ରଧାନ ବିଚାରପତି କହିଥିଲେ ଯେ କେତେକ ବିଶେଷଜ୍ଞ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ମଣ୍ଡଳୀରେ ସାମିଲ ହେବାକୁ ନିଜର ଅସାମର୍ଥ୍ୟ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୧୩ ତାରିଖରେ ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ରାୟ ସ୍ଥଗିତ ରଖିଥିଲେ। ମାନ୍ୟବର ପୀଠ କହିଥିଲେ ଯେ ନାଗରିକଙ୍କ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପେଗାସସ ସଫ୍ଟୱେର ବ୍ୟବହାର କରାଯାଇଥିଲା କି ନାହିଁ ତାହା ସର୍ବୋଚ୍ଚ ଅଦାଲତ ଜାଣିବାକୁ ଚାହୁଁଛନ୍ତି। ପୂର୍ବରୁ ଶୁଣାଣି ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ସହିତ ଜଡିତ ଥିବାରୁ ଏହା ଉପରେ ସରକାର ସତ୍ୟପାଠ ଦାଖଲ କରିବେ ନାହିଁ।
