ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ସୁନିଲ ଜାଖଡ
ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସରେ ବିବାଦ ତୁଟୁନି । ଚରଣଜୀତ ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ଅସନ୍ତୋଷ ବଢି ଚାଲିଛି । ଏହି ପରିପ୍ରେକ୍ଷୀରେ ଅସନ୍ତୁଷ୍ଟ ଥିବା ଦଳର ପୂର୍ବତନ ଅଧ୍ୟକ୍ଷ ସୁନିଲ ଜାଖଡ ବୁଧବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି । ଏହାସହ ସେ ପ୍ରିୟଙ୍କା ଓ ରାହୁଲଙ୍କ ସହ ବିମାନରେ ଦିଲ୍ଲୀ ଆସିଥିଲେ । କ୍ୟାପ୍ଟେନ୍ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଜାଖଡ ଭାବି ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ ଥିଲେ । କିନ୍ତୁ ଚରଣଜୀତ ସିଂ ବାଜି ମାରିନେଇଥିଲେ । ଏପରିକି ନବଜ୍ୟୋତ ସିଂ ସିଦ୍ଧୁ ପିସିସି ସଭାପତି ହେବା ପୂର୍ବରୁ ଏହି ଦାୟିତ୍ୱରେ ଜାଖଡ ଥିଲେ । ପଞ୍ଜାବ ରାଜନୀତିକୁ ନେଇ ଅସନ୍ତୁଷ୍ଟ ଥିବା ଜାଖଡ ହଠାତ ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବା ପରେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି ।
ସୂଚନା ଯେ, ଜାଖଡଙ୍କୁ ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ସେ ମନା କରିଦେଇଥିଲେ ।ଏପରିକି ଆଗାମୀ ନିର୍ବାଚନ ନବଜ୍ୟୋତ ସିଂ ସିଦ୍ଧୁଙ୍କ ନେତୃତ୍ୱରେ ନିର୍ବାଚନ ଲଢିବା ପ୍ରସଙ୍ଗକୁ ସେ ବିରୋଧ କରିଥିଲେ ।
