ରାଜ୍ୟରେ ଆଉ ୬୪୪ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୭୨ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଅଗଷ୍ଟରେ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଗୁରୁବାର ୨୪ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୬୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୭୫ ଓ ସ୍ଥାନୀୟ ଅଞ୍ଚଳରୁ ୨୬୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୨ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୨ହଜାର ୫୯୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୪ ଜଣ ଥିବାବେଳେ ବାଲେଶ୍ୱରରୁ ୩୪ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରରୁ ୫, କଟକରୁ ୭୭ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୬ ଜଣ, ଜଗତସିଂହପୁରରୁ ୨୮ ଜଣ, ଯାଜପୁରରୁ ୨୦ ଜଣ, ଝାରସୁଗୁଡ଼ାରୁ ୫ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେଉଁଝରରୁ ୧ ଜଣ, ଖୋର୍ଦ୍ଧାରୁ ୨୮୩ ଜଣ, ମାଲକାନଗିରିରୁ ୫ ଜଣ, ମୟୁରଭଞ୍ଜରୁ ୧୫ ଜଣ, ନୟାଗଡ଼ରୁ ୬ ଜଣ, ପୁରୀରୁ ୨୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ ଓ ରାଜ୍ୟ ପୁଲରୁ ୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦,୨୨,୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦,୦୮,୬୭୧ ଜଣ ସୁସ୍ଥ ହୋଇଥିବା ବେଳେ ୫,୭୧୩ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୧,୯୫,୧୭,୮୪୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।
