ଆଇପିଏଲ-୨୦୨୧ : ଆଜି କେକେଆର-ମୁମ୍ବାଇ ମୁକାବିଲା
ଆବୁଧାବି : ଆଇପିଏଲ୍ର ୩୪ତମ ଲିଗ୍ ମ୍ୟାଚ୍ରେ ଗୁରୁବାର ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
ମୁହାଁମୁହିଁ ହେବେ । ଦ୍ୱିତୀୟାର୍ଦ୍ଧର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ପରାଜିତ ହୋଇଥିଲା । ବିଜୟଧାରାକୁ ଫେରିବା ପାଇଁ ଚାମ୍ପିଅନ୍ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି । ମୁମ୍ବାଇ ଅଧିନାୟକ ରୋହିତ ଗୁରୁବାର ମ୍ୟାଚ୍ରେ ଖେଳିବାର ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ ମୁମ୍ବାଇ ତରଫରୁ ତାଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ସେହିଭଳି ହାର୍ଦିକଙ୍କ ଫିଟନେସ୍ ମଧ୍ୟ ରହସ୍ୟ ଘେରରେ ରହିଛି। ହାର୍ଦିକ ଅନୁପସ୍ଥିତ ରହିଲେ ସୌରଭ ତିୱାରୀ ତାଙ୍କ ସ୍ଥାନ ନେବେ। ଅପରପକ୍ଷେ ଦ୍ୱିତୀୟାର୍ଦ୍ଧର ପ୍ରଥମ ମ୍ୟାଚ୍ ଜିତିବା ପରେ ନାଇଟ ରାଇଡର୍ସ ମନୋବଳ ଶିଖର ଛୁଇଁଛି । ଗୁରୁବାର ଶୃଙ୍ଖଳିତ ପ୍ରଦର୍ଶନ ବଳରେ ବିଜୟ ଜାରି ରଖିବାକୁ ନାଇଟ ରାଇଡର୍ସ ଯୋଜନା କରିଛି ।
ପୂର୍ବ ପ୍ରଦର୍ଶନ ଅନୁସାରେ ମୁମ୍ବାଇ ଓ କୋଲକାତା ୨୮ ମ୍ୟାଚ୍ରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୨୨ ମ୍ୟାଚ୍ ଜିତିଥିଲା ବେଳେ କୋଲକାତା ମାତ୍ର ୬ ମ୍ୟାଚ୍ ଜିତି ପାରିଛି। ସେହି ଦୃଷ୍ଟିରୁ ରେକର୍ଡକୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିବ । ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୧୦ ରନ୍ରେ ବିଜୟ ହାସଲ କରିଥିଲା । ଏଥର ନାଇଟ୍ ରାଇଡର୍ସ ପ୍ରତିଶୋଧ ନେବାର ସୁଯୋଗ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଅଛନ୍ତି । ଉଭୟଙ୍କ ଖେଳିବା ନେଇ ଆଶଙ୍କା ରହିଛି। ପ୍ରଥମାର୍ଦ୍ଧ ତୁଳନାରେ ନାଇଟ ରାଇଡର୍ସ ଏଥର ଅଧିକ ସନ୍ତୁଳିତ ମନେ ହେଉଛି । ପ୍ୟାଟ୍ କମିନ୍ସ ଦଳରେ ନଥିଲେ ହେଁ ଲୋକି ଫର୍ଗୁସନ ତାଙ୍କ ସ୍ଥାନ ପୂରଣ କରିଛନ୍ତି । ବିସ୍ମୟୀ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଉପସ୍ଥିତି ନାଇଟ ରାଇଡର୍ସ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିଛି । ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ନାଇଟ ରାଇଡର୍ସ ପକ୍ଷରୁ ଭେଙ୍କଟେଶ ଆୟର ଓପନ୍ କରିଥିଲେ । ତାଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଥିଲା । କୋଲକାତାର ଯୁବ ଓପନର ଶୁବମନ୍ ଗିଲ ଗୁରୁବାର ନିଜ ୫୦ତମ ଆଇପିଏଲ୍ ମ୍ୟାଚ୍ ଖେଳିବେ। ରୋହିତ ଶର୍ମା ଯଦି ଏହି ମ୍ୟାଚ୍ ଖେଳି ୧୮ କିମ୍ବା ତାଠାରୁ ଅଧିକ ରନ୍ କରନ୍ତି, ତାହାଲେ କୌଣସି ଗୋଟିଏ ଦଳ ବିପକ୍ଷରେ ବ୍ୟକ୍ତିଗତ ଭାବେ ୧,୦୦୦ ରନ୍ କରିବାରେ ଆଇପିଏଲ୍ ଇତିହାସର ପ୍ରଥମ ଖେଳାଳି ହେବେ ସେ। କୋଲକାତା ବିପକ୍ଷରେ ଏବେ ସେ ୪୯.୧୦ ହାରରେ ୯୮୨ ରନ୍ କରିଛନ୍ତି। ରୋହିତ ଖେଳି ନପାରିଲେ କିରଣ ପୋଲାର୍ଡ ପ୍ରଥମ ମ୍ୟାଚ୍ ଭଳି ଏହି ମ୍ୟାଚ୍ରେ ବି ମୁମ୍ବାଇର ଅଧିନାୟକ ଦାୟିତ୍ବ ତୁଲାଇବେ। ସୂଚନା ଯେ, ମୁମ୍ବାଇ ଇଣ୍ଡିଆନ୍ସ ୮ଟି ମ୍ୟାଚ୍ରୁ ୪ ବିଜୟ ଶହ ୮ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ମୁମ୍ବାଇ ଦଳ ଚତୁର୍ଥ ସ୍ଥାନରେ ରହିଛି । ନାଇଟ୍ ରାଇଡର୍ସ ୮ଟି ମ୍ୟାଚ୍ରୁ ୩ ବିଜୟ ସହ ୬ ପଏଣ୍ଟ ହାତେଇ ଷଷ୍ଠ ସ୍ଥାନରେ ରହିଛି । ଉଭୟ ଦଳ ପାଇଁ ବିଜୟ ଜରୁରୀ ଥିବାରୁ ଆଜିର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ହେବ ବୋଲି ଆଶା କରାଯାଉଛି ।
ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା/ଅନମୋଲପ୍ରୀତ ସିଂହ, କ୍ବିଣ୍ଟନ୍ ଡି’କକ୍, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା/ସୌରଭ ତିୱାରୀ, କ୍ରୁନାଲ ପାଣ୍ଡ୍ୟା, ଆଦାମ ମିଲ୍ନେ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା।
ସମ୍ଭାବ୍ୟ କୋଲକାତା ନାଇଟ୍ ରାଇଡର୍ସ: ଶୁବମନ ଗିଲ୍, ଭେଙ୍କଟେଶ ଆୟର, ରାହୁଲ ତ୍ରିପାଠୀ, ନୀତୀଶ ରାଣା, ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଲୋକି ଫର୍ଗୁସନ୍, ପ୍ରସିଦ୍ଧ କୃଷ୍ଣା, ବରୁଣ ଚକ୍ରବର୍ତ୍ତୀ।
