ଆଇପିଏଲ ୨୦୨୧ : ହାଇଦ୍ରାବାଦକୁ ୮ ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ
ଦୁବାଇ : ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଇପିଏଲର ୩୩ତମ ମ୍ୟାଚ୍ରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଦିଲ୍ଲୀ ପ୍ରଭାବଶାଲୀ ପ୍ରଦର୍ଶନ କରିଛି। ଦିଲ୍ଲୀ ପ୍ରଥମେ ବୋଲିଂ ଏବଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ଏହି ବିଜୟ ସହ ଦିଲ୍ଲୀ ୧୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ଶୀର୍ଷରେ ରହିଛି । ଅନ୍ୟପଟେ ଅଷ୍ଟମ ମ୍ୟାଚ୍ରୁ ସପ୍ତମ ପରାଜୟ ଭୋଗି ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ ଆଶା ଆହୁରି ମୁସ୍କିଲ ହୋଇ ଯାଇଛି।
ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚର ତୃତୀୟ ବଲରେ ଓପ୍ନର ଡେଭିଡ୍ ୱାର୍ଣ୍ଣର (୦)ଙ୍କୁ ପ୍ୟାଭିଲିୟନ୍ ପଠାଇ ଆନରିଚ୍ ନୋର୍ଜେ ଦିଲ୍ଲୀକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ଓପ୍ନର ଋଦ୍ଧିମାନ ସାହା (୧୮) ଭଲ ଷ୍ଟାର୍ଟ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ତାଙ୍କୁ କାଗିଗୋ ରବାଡା ଆଉଟ୍ କରିଥିଲେ। କ୍ୟାପଟେନ୍ ୱିଲିୟମସନ୍ ଧିମା ବ୍ୟାଟିଂ କରିଥିଲେ, ଯାହାର ପ୍ରଭାବ ଟିମର ରନରେଟ୍ ଉପରେ ପଡ଼ିଥିଲା। ସେ ୧୮ ରନ୍ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ। ମିଡଲ୍ ଅର୍ଡରରେ ମନିଷ ପାଣ୍ଡେ (୧୭) ଓ କେଦାର ଯାଦବଙ୍କ ଭଳି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ତେବେ ଅବଦୁଲ ସାମଦ ଓ ରାଶିଦ୍ ଖାନଙ୍କ ଉପଯୋଗୀ ଯୋଗଦାନ ଦ୍ୱାରା ଟିମ୍ ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ସାମଦ ୨୧ ବଲରେ ୨ ଚୌକା ଓ ୧ ଛକା ସହ ୨୮ ଓ ରାଶିଦ୍ ଖାନ୍ ୧୯ ବଲରେ ୨ ଚୌକା ଓ ୧ ଛକା ସହ ୨୨ ରନ୍ କରିଥିଲେ। ଜେସନ୍ ହୋଲ୍ଡର ୧୦ ରନ୍ କରି ଆଉଟ୍ ହୋଇଥିଲେ। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ସର୍ବାଧିକ ୩ଟି, ନୋର୍ଜେ ଓ ଅକ୍ଷର ପଟେଲ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।
୧୩୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ ୨୦ ରନରେ ପୃଥ୍ଵୀ ଶ(୧୧)ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଶିଖର ଧାଓ୍ଵନ ଓ ଶ୍ରେୟସ ଆୟର ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୭୨ରେ ପହଞ୍ଚାଇଥିଲେ। ଧାଓ୍ଵନ ୩୭ ବଲ୍ରୁ ୬ ଚୌକା ଓ ୧ ଛକା ସହ ୪୨ ରନ କରି ଆଉଟ୍ ହୋଇଥିଲେ। ଏଥିସହ ଦ୍ଵିତୀୟ ଓ୍ଵିକେଟ୍ରେ ଆୟରଙ୍କ ସହ ମିଶି ୫୨ ରନ ଯୋଡିଥିଲେ। ଏହା ପରେ ଶ୍ରେୟସ ଆୟର ଓ ଋଷଭ ପନ୍ତ ତୃତୀୟ ଓ୍ଵିକେଟ୍ରେ ୬୭ ରନ ଯୋଡି ଦଳକୁ ୧୭.୫ ଓଭରରେ ୮ ଓ୍ଵିକେଟ୍ରେ ବିଜୟୀ କରାଇଛନ୍ତି। ଆୟର ୪୧ ବଲ୍ରୁ ୨ ଚୌକା ଓ ୨ ଛକା ସହ ୪୭ ରନ ଏବଂ ପନ୍ତ ୨୧ ବଲ୍ରୁ ୩ ଚୌକା ଓ ୨ ଛକା ସହ ୩୫ ରନରେ ଅପରାଜିତ ଥିଲେ। ହାଇଦ୍ରାବାଦ ପକ୍ଷରୁ ଖାଲିଲ ଅହମ୍ମଦ ଓ ରସିଦ ଖାନ ୧-୧ ୱିକେଟ ନେଇଥିଲେ ।
