ଓଡ଼ିିଶା ଗସ୍ତରେ ଜାତିସଂଘ ପ୍ରତିନିଧି
- ୧୦ ଆକାଂକ୍ଷୀ ଜିଲାରେ ଏସଏଚଜିମାନଙ୍କୁ ଡିଜିଟାଲ ମାର୍କେଟିଂ ତାଲିମ ଦିଆଯିବ
ଭୁବନେଶ୍ୱର : ମିଳିତ ଜାତିସଂଘ ମହିଳା ଭାରତ ପ୍ରତିନିଧି ଶ୍ରୀମତୀ ସୁସାନ ଜେନ୍ ଫର୍ଗୁସନ୍ ତାଙ୍କର ପ୍ରଥମ ଓଡିଶା ଗସ୍ତରେ ଆସି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ବାଗ୍ଚି ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଅବଗତ କରାଇଛନ୍ତି । ଜାତିସଂଘ ମହିଳା, ଭାରତ ପ୍ରତିନିଧି ଶ୍ରୀମତୀ ଫର୍ଗୁସନ୍ ଓଡିଶା ସରକାର ଏବଂ ଜାତିସଂଘ ମହିଳାଙ୍କ ମଧ୍ୟରେ ସହଭାଗିତାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରଶଂସା କରିବା ସହିତ ଜାତିସଂଘ ମହିଳା ରାଜ୍ୟ ସରକାରଙ୍କ ସହ ବିଶେଷ କରି ଶିକ୍ଷା ଓ ବୃତିଗତ ପ୍ରଶିକ୍ଷଣରେ ଦ୍ୱିତୀୟ ସୁଯୋଗ ପ୍ରଦାନ (ସେକଣ୍ଡ ଚାନ୍ସ ଏଜୁକେସନ ଏଣ୍ଡ ଭୋକେସନାଲ ଲର୍ଣ୍ଣିଂ) ମାଧ୍ୟମରେ ଏକ ଶକ୍ତିଶାଳୀ ଅଂଶୀଦାର ହେବାକୁ ଚାହାଁନ୍ତି ବୋଲି ସେ ପ୍ରକାଶ କରିଥିଲେ ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଜାତିସଂଘ ମହିଳାଙ୍କ ସହ ବିଭିନ୍ନ ପଦକ୍ଷେପ ନେଇ ସହଭାଗିତା ନିମନ୍ତେ ଏକ ବୁଝାମଣାପତ୍ର ସମ୍ପାଦନ କରିଛନ୍ତି । ବୁଝାମଣାର ଅଂଶ ଭାବରେ ଓଡିଶାର ଦଶଟି ଆକାଂକ୍ଷୀ ଜିଲ୍ଲାରେ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଉତ୍ପାଦର ଅନଲାଇନ୍ ବିକ୍ରୟ ପାଇଁ ଇ-କମର୍ସ ପ୍ଲାଟଫର୍ମ ସହିତ ସଂଯୋଗକୁ ସୁଗମ କରିବା ପାଇଁ ଡିଜିଟାଲ ମାର୍କେଟିଂ ଏବଂ ଔଦ୍ୟୋଗିକତା ଉପରେ ତାଲିମ ପ୍ରଦାନ କରାଯିବ । ଜାତିସଂଘ ମହିଳା ସରକାରୀ ଆଇଟିଆଇ ବାଲେଶ୍ୱର, ବ୍ରହ୍ମପୁର ଏବଂ ରାଉରକେଲାରେ ମହିଳା ଫୁଟବଲ ଦଳ ଏବଂ ଗୋପବନ୍ଧୁ ଆଇଟିଆଇ, କୋରାପୁଟ ଓ ସରକାରୀ ଆଇଟିଆଇ, ବଲାଙ୍ଗୀରଠାରେ ଭଲିବଲ କୋର୍ଟ ନିମନ୍ତେ ସହଯୋଗ କରିବ । ଭୁବନେଶ୍ୱରସ୍ଥିତ ୱାଲର୍ଡ ସ୍କିଲ୍ ସେଂଟରରେ ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ନୀତି, ପାଠ୍ୟକ୍ରମ ଏବଂ ନିଯୁକ୍ତି ନିମନ୍ତେ କାର୍ଯ୍ୟ ଆରମ୍ଭ ହେବ । ମୟୂରଭଞ୍ଜ, ରାୟଗଡା ଏବଂ ଢେଙ୍କାନାଳ ଜିଲ୍ଲାର ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକ୍ ମାନଙ୍କରେ ସେକଣ୍ଡ ଚାନ୍ସ ଏଜୁକେସନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରତିନିଧି ଦଳ ମେଂଚଶ୍ୱରସ୍ଥିତ ୱାର୍ଲଡ ସ୍କିଲ୍ ସେଂଟର ପରିଦର୍ଶନ କରି ଓଏସ୍ଡିଏ ସିଇଓ ତଥା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି.ଙ୍କ ସହ ସାକ୍ଷାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ପ୍ରବନ୍ଧକ, ଏସ୍ସିଇ, ଜାତିସଂଘ ମହିଳା, ଶ୍ରୀମତି କାନ୍ତା ସିଂ, ବୈଷୟିକ ପରାମର୍ଶଦାତା (ଜେଣ୍ଡର) ଶ୍ରୀମତୀ ସ୍ମିତା ଜଗଦେବ ଏବଂ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।
