ଘୂର୍ଣ୍ଣିବଳୟ ଯୋଗୁଁ ଆଜି ୯ ଜିଲାରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହା ପ୍ରଭାବରେ ମଙ୍ଗଳବାର ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ଗତ ସୋମବାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଆଦି ଜିଲାର କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି।
ସେହିପରି ଆସନ୍ତା ୨୫ ତାରିଖରୁ ପୂର୍ବ କେନ୍ଦ୍ରୀୟ ଓ ଏହାର ନିକଟବର୍ତ୍ତୀ ବଙ୍ଗୋପସାଗରରେ ଏକ ଘର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ୨୬ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
