ଆଇପିଏଲ ୨୦୧୧ : ୯୨ ରନରେ ଅଟକିଲା ବାଙ୍ଗାଲୋରର
ଆବୁଧାବି : ୟୁଏଇରେ ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟରେ ଆଣ୍ଠେଇଛି ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । ସୋମବାର ଆଇପିଏଲର ୩୧ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଘାତକ ବୋଲିଂକୁ ସାମ୍ନା କରିନପାରି ଆରସିବି ଟିମ୍ ୧୯ ଓଭରରେ ମାତ୍ର ୯୨ ରନ୍ କରି ଅଲଆଉଟ୍ ହୋଇଛି । ଫଳରେ କେକେଆରକୁ ମ୍ୟାଚ୍ ଜିତିବା ପାଇଁ ମାତ୍ର ୯୨ ରନ୍ କରିବାକୁ ପଡ଼ିବ । ଆରସିବି ଟିମ୍ ପକ୍ଷରୁ ଦେବିଦତ ପାଡିକଲ୍ ସର୍ବାଧିକ ୨୨ ରନ୍ କରିଛନ୍ତି । ତେବେ କ୍ୟାପଟେନ୍ ବିରାଟ୍ କୋହଲି ନିରାଶ କରିଛନ୍ତି । କେକେଆର ପକ୍ଷରୁ ବରୁଣ ଚକ୍ରବର୍ତୀ ଓ ଆନ୍ଦ୍ରେ ରସେଲ୍ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି ।
ଜାୟେଦ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଇନିଂସର ଦ୍ୱିତୀୟ ଓଭରରେ କେକେଆର୍ ପେସର୍ ପ୍ରସିଦ୍ଧ କୃଷ୍ଣ କୋହଲିଙ୍କୁ ଆଉଟ୍ ବଡ଼ ସଫଳତା ହାସଲ କରିଥିଲେ । କୋହଲି ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଦେବିଦତ ପାଡିକଲ୍ ଓ ଡେବ୍ୟୁଟାଂଟ ଶ୍ରୀକର ଭରତ ଦ୍ୱିତୀୟ ୱିକେଟ୍ ପାଇଁ ୩୧ ରନ୍ ଯୋଡ଼ିଥିଲେ । କିନ୍ତୁ ଏହି ଯୋଡ଼ି ପ୍ୟାଭିଲିୟନ୍ ଫେରିବା ପରେ ଆରସିବିର ବଡ଼ ସ୍କୋର ଆଶା ଧୂଳିସାତ୍ ହୋଇଯାଇଥିଲା । ପାଡିକଲଙ୍କୁ ଲକି ଫର୍ଗୁସନ୍ ପ୍ୟାଭିଲିୟନ୍ ପଠାଇଥିବା ବେଳେ ଭରତ (୧୬)ଙ୍କୁ ଆନ୍ଦ୍ରେ ରସେଲ୍ ଆଉଟ୍ କରିଥିଲେ । ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ପୂରା ନିରାଶ କରିଥିଲେ । ଡି’ଭିଲିୟର୍ସ ଆସୁ ଆସୁ ରସେଲଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ମ୍ୟାକ୍ସୱେଲ ମଧ୍ୟ ସୁଯୋଗର ଫାଇଦା ଉଠାଇ ପାରିନଥିଲେ ଏବଂ ମାତ୍ର ୧୦ ରନ୍ କରି ବରୁନ ଚକ୍ରବତୀଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ଲୋୟର୍ ଅର୍ଡରରେ ସଚିନ ବେବି (୭), ପ୍ରଥମଥର ଆଇପିଏଲ୍ ଖେଳୁଥିବା ୱାନିନ୍ଦୁ ହସରଙ୍ଗା (୦), କାଇଲ୍ ଜେମିସନ୍ (୪), ହର୍ଷଲ୍ ପଟେଲ୍ (୧୨), ମହମ୍ମଦ ସିରାଜ (୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ୟୁଜବେନ୍ଦ୍ର ଚହଲ୍ ୨ ରନ୍ କରି ଅପରାଜିତ ଥିଲେ । କେକେଆର୍ ପକ୍ଷରୁ ଫର୍ଗୁସନ୍ ୨ଟି ଓ ପ୍ରସିଦ୍ଧ କୃଷ୍ଣ ଗୋଟିଏ ୱିକେଟ୍ ନେଇଥିଲେ ।
