ଡିଆରଡିଓ ତଥ୍ୟ ଲିକ୍ ଘଟଣା : ହନିଟ୍ରାପ୍ ଲିଙ୍କ୍ ନେଇ ମିଳିଲା ତଥ୍ୟ!
କଟକ : ବାଲେଶ୍ୱର ଜିଲାର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ)ରୁ ଗୁପ୍ତତଥ୍ୟ ଲିକ୍ ମାମଲାରେ ହନିଟ୍ରାପ୍ ଲିଙ୍କ୍ ନେଇ ମିଳିଲା ତଥ୍ୟ । ଏହି ଘଟଣାରେ ଗିରଫ ୫ଅଭିଯୁକ୍ତଙ୍କୁ ପୋଲିସ ମୁଖ୍ୟାଳୟରେ ଅପରାଧ ନିୟନ୍ତ୍ରଣ ଶାଖା ପକ୍ଷରୁ ପଚରାଉଚରା ପରେ ଏହା ଜଣାପଡିଛି ।
୫ଜଣ ଅଭିଯୁକ୍ତଙ୍କୁ ୭ଦିନିଆ ରିମାଣ୍ଡରେ ନେଇଚି ଓଡ଼ିଶା କ୍ରାଇମ ବ୍ରାଞ୍ଚ । ଏସଡିଜେଏମଙ୍କ ଅନୁମତି କ୍ରମେ କ୍ରାଇମବ୍ରାଞ୍ଚ ଟିମ ଅଭିଯୁକ୍ତମାନଙ୍କୁ ବାଲେଶ୍ୱର ଜେଲରୁ ଏକ ବସ୍ ଯୋଗେ କଡ଼ା ନିରାପତ୍ତା ମଧ୍ୟରେ କଟକ ନେଇଥିଲେ । ସେଠାରେ ଅଭିଯୁକ୍ତମାନଙ୍କୁ ପଚରାଉଚରା ପାଇଁ ୫ଟି ଦଳ ଗଠନ କରାଯାଇଥିଲା। ସକାଳ ସାଢ଼େ ୧୦ଟାରେ ପ୍ରଥମ ଜେରା ଆରମ୍ଭ କରାଯାଇଥିଲା। ପ୍ରଥମେ ଅଭିଯୁକ୍ତ ବସନ୍ତ ବେହେରାକୁ ଅଧିକାରୀମାନେ ଏକାଧିକ ପ୍ରଶ୍ନ ପଚାରିଥିଲେ। ଏହାପରେ ଅନ୍ୟ ଅଭିଯୁକ୍ତଙ୍କୁ ପୃଥକ ପୃଥକ ଭାବେ ପଚରାଉଚରା କରାଯାଇଥିଲା। ମୁଖ୍ୟତଃ କେବେଠାରୁ ଚାକିରି କରିଛ, କେତେ ଦରମା ପାଉଥିଲ ଏଭଳି କେତେକ ସହଜ ପ୍ରଶ୍ନରୁ କ୍ରାଇମ୍ବ୍ରାଞ୍ଚ ଜେରା ଆରମ୍ଭ କରିଥିଲା। ଏହାପରେ ପ୍ରକୃତ ଘଟଣା ଉପରକୁ ଆସିଥିଲେ ଜେରା କରୁଥିବା ଅଧିକାରୀମାନେ କ୍ଷେପଣାସ୍ତ୍ରଘାଟିରୁ ଗୁପ୍ତ ତଥ୍ୟ ଚୋରି କରିବା ଲାଗି କିଏ ପ୍ରଥମେ କହିଥିଲା ଓ କିପରି ସେ ଯୋଗାଯୋଗରେ ଆସିଥିଲେ ସେ ନେଇ ଗୁଡେଇତୁଡେଇ ଅନେକ ପ୍ରଶ୍ନ କରାଯାଇଥିଲା। ଅଭିଯୁକ୍ତ ମୁସାଫିର ହନିଟ୍ରାପ୍ ଲିଙ୍କ୍ ନେଇ ତଥ୍ୟ ଓଗାଳିଥିଲା। ଏହାପରେ ସବୁ ଅଭିଯୁକ୍ତଙ୍କୁ ପୃଥକ ପୃଥକ ଭାବେ ପଚରାଉଚରା କରାଯିବାରୁ ବହୁ ରହସ୍ୟମୟ ତଥ୍ୟ ପଦାକୁ ଆସିଥିଲା। ଅଭିଯୁକ୍ତମାନେ ସେ କିଛିମାସ ହେବ ପାକିସ୍ଥାନର କେତେକ ସୁନ୍ଦରୀ ଯୁବତୀଙ୍କ ଲିଙ୍କ୍ରେ ରହିଥିଲେ। ଉକ୍ତ ଯୁବତୀମାନେ ତାକୁ ନିୟମିତ ଭିଡିଓ କଲ ଓ ଚାଟ କରୁଥିଲେ। ସେମାନଙ୍କ ଘର ପଶ୍ଚିମବଙ୍ଗ ଓ ରାଜସ୍ଥାନର ହୋଇଥିବା ସେମାନେ କହିଛନ୍ତି। ମୁଖ୍ୟତଃ ବ୍ରହ୍ମାସ୍ତ୍ର ସମ୍ପର୍କରେ ସେମାନେ ସମସ୍ତ ତଥ୍ୟ ଉକ୍ତ ଯୁବତୀଙ୍କୁ ପ୍ରଦାନ କରିଥିବା କହିଛନ୍ତି। ଅନ୍ୟପକ୍ଷରେ କେତେକ ବରିଷ୍ଠ ଅଧିକାରୀଙ୍କ ଏହି ଘଟଣାରେ ଜଡିତ ରହିଥିବା ଅନୁମାନ କରାଯାଉଛି। ଯଦି ଏପରି ହୋଇଥାଏ ତେବେ ବହୁ ଗୁରତ୍ୱପୂର୍ଣ୍ଣ ତଥ୍ୟ ପ୍ରଘଟ ହୋଇଥିବା ନେଇ ଅଧିକାରୀମାନେ ସନ୍ଦେହ କରିଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ୫ ଅଭିଯୁକ୍ତଙ୍କୁ ଘନ ଘନ ଜେରା କରାଯାଇଥିଲା। ପୁଣି ବିଳମ୍ବିତ ରାତିରେ ଜେରା କରାଯିବାର କାର୍ଯ୍ୟକ୍ରମ ରହିଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଯେ, ହନିଟ୍ରାପ୍ରେ ଶୀକାର ହୋଇ ଯୁବତୀଙ୍କ ପ୍ରେମ ଓ ଅର୍ଥ ଲୋଭରେ ଉକ୍ତ ୫ଜଣ ଅଭିଯୁକ୍ତ ଶତ୍ରୁ ଦେଶକୁ ଡିଆର୍ଡିଓର ଗୁପ୍ତ ତଥ୍ୟ ମହିଳାଙ୍କୁ ଜଣାଉଥିଲେ । ଏନେଇ ନୂଆଦିଲ୍ଲୀରେ ଭାରତୀୟ ଗୁଇନ୍ଦା ସଂସ୍ଥା (ଆଇବି) ଜାଣିପାରିଥିଲେ । ପରେ ଏନେଇ ଆଇବି ବାଲେଶ୍ୱର ପୋଲିସ ହେଡକ୍ୱାର୍ଟରକୁ ଅବଗତ କରାଇ ବାଲେଶ୍ୱରରେ ପହଞ୍ଚିଥିଲେ । ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ୬ଟି ଟିମ୍ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ତଦନୁଯାୟୀ ପ୍ରଥମେ ପୋଲିସ ବସନ୍ତ ବେହେରା, ହେମନ୍ତ କୁମାର, ତାପସ ରଞ୍ଜନ ନାୟକ, ସେକ୍ ମୁସାଫିର ଓ ଆଇଟିଆର ସ୍ଥାୟୀ କର୍ମଚାରୀ ତଥା ଚାଳକ ଭାବେ କାର୍ଯ୍ୟ କରୁଥିବା ଉତ୍ତରପ୍ରଦେଶ ମିରଟର ସଚିନ୍ କୁମାର ଛତାକୁ ଗିରଫ କରିଥିଲା। ଏହା ଏକ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ଥାନ୍ତର କରାଯାଇଥିଲା। ତଦନ୍ତ ଜାରି ରଖିଛି। ୫ଅଭିଯୁକ୍ତଙ୍କୁ ଜିମାରେ ଆଣି ଜେରା ଆରମ୍ଭ କରିଛି। ସେମାନଙ୍କ ସହ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏହର ଖୋଳତାଡ ଆରମ୍ଭ ହୋଇଛି।
