ଆଇପିଏଲ ୨୦୨୧: ରୋହିତ ଓ ପାଣ୍ଡିଆଙ୍କ ଅନୁପସ୍ଥିତି ମୁମ୍ବାଇକୁ ପଡିଲା ଭାରି, ୨୦ ରନରେ ଜିତିଲା ଚେନ୍ନାଇ
ଦୁବାଇ : ଆଇପିଏଲର ୧୪ଶ ସଂସ୍କରଣର ୩୦ତମ ମ୍ୟାଚରେ ରବିବାର ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ଏଥିରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ ବି ଋତୁରାଜଙ୍କ ୮୮ ରନର ଅପରାଜିତ ଇନିଂସ ବଳରେ ୬ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୬ ରନ କରିବାକୁ ସକ୍ଷମ ହୋଇଛି। ସୌରଭ ତିଓ୍ଵାରୀଙ୍କ ଅପରାଜିତ ୫୦ ରନ ମୁମ୍ବାଇକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ଏହି ବିଜୟ ସହ ଚେନ୍ନାଇ ୮ଟି ମ୍ୟାଚ୍ରୁ ୬ ବିଜୟ ଏବଂ ୧୨ ପଏଣ୍ଟ ସହ ତାଲିକାର ଶୀର୍ଷକୁ ଉଠିଛି।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇର ଏହି ନିଷ୍ପତ୍ତି ଟିମ୍ ଉପରେ ଭାରୀ ପଡ଼ିଥିଲା। ମୁମ୍ବାଇର ଷ୍ଟ୍ରାଇକ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଓଭରରେ ଚେନ୍ନାଇକୁ ବଡ଼ ଝଟକା ଦେଇଥିଲେ। ଇନଫର୍ମ ଫାଫ୍ ଡୁପ୍ଲେସିସ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମୋଇନ୍ ଅଲୀ ମଧ୍ୟ ଖାତା ଖୋଲିପାରିନଥିଲେ। ତାଙ୍କୁ ଦ୍ୱିତୀୟ ଓଭରରେ ଆଡାମ୍ ମିଲନେ ଆଉଟ୍ କରିଥିଲେ। ଅମ୍ବାତି ରାୟୁଡୁ ରିଟାୟର୍ଡ ହର୍ଟ ହୋଇଥିଲେ। ସୁରେଶ ରାଇନା (୪) ଚୌକା ମାରି ଆରମ୍ଭ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। କ୍ୟାପଟେନ୍ ଧୋନିଙ୍କ ଉପରେ ଟିମ୍ ଆଶାବାଦୀ ଥିବା ବେଳେ ସେ ମଧ୍ୟ ନିରାଶ କରିଥିଲେ। ଧୋନି ବ୍ୟକ୍ତିଗତ ୩ ରନ୍ କରି ମିଲନେଙ୍କ ଶିକାର ହୋଇଥିଲେ। ୨୪ ରନରେ ୪ ୱିକେଟ୍ ହରାଇ ଚେନ୍ନାଇ ବ୍ୟାକଫୁଟକୁ ଚାଲିଆସିଥିଲା। ତେବେ ଏହିଠାରେ ଋତୁରାଜଙ୍କୁ ଭରପୂର ସହଯୋଗ କରିଥିଲେ ରବୀନ୍ଦ୍ର ଜାଡେଜା। ଦୁହେଁ ପଞ୍ଚମ ୱିକେଟ୍ ହରାଇ ୮୧ ରନର ଭାଗିଦାରୀ କରିଥିଲେ। ଋତୁରାଜ ୪୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଜାଡେଜା ୨୬ ରନ୍ କରି ଯଶପ୍ରୀତ ବୁମ୍ରାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଡ୍ୱେନ୍ ବ୍ରାଭୋ କ୍ରିଜକୁ ଆସିବା ମାତ୍ରକେ ଧୂଆଁଧାର ବ୍ୟାଟିଂ କରିଥିଲେ। ବ୍ରାଭୋ ବୋଲ୍ଟଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଛକା ମାରି ଚେନ୍ନାଇ ରନ୍ ଗତିକୁ ବଢ଼ାଇଥିଲେ। ତେବେ ତାଙ୍କୁ ଆଉଟ୍ କରିଥିଲେ ବୁମ୍ରା। ଋତୁରାଜ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଚେନ୍ନାଇକୁ ୧୫୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶାର୍ଦ୍ଦୁଲ ଠାକୁର ୧ ରନ କରି ଅପରାଜିତ ଥିଲେ।
୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ଵାଇକୁ ୧୮ ରନରେ ପ୍ରଥମ ଝଟକା ଲାଗିଥିଲା। ଡିକକ୍(୧୭) ଦୀପକ ଚହରଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଏହା ପରେ ପଦାର୍ପଣ ମ୍ୟାଚ୍ ଖେଳିଥିବା ଅନମୋଲପ୍ରତ ସିଂହ ଭଲ ସଟ୍ ଖେଳିଥିଲେ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ସେ ୧୬ ରନ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ। ହେଲେ ୩୭ ରନ ସ୍କୋରରେ ସୂର୍ଯ୍ୟକୁମାର ଯାଦବ(୩) ଆଉଟ୍ ହେବା ମୁମ୍ଵାଇକୁ ଜୋରଦାର ଝଟକା ଲାଗିଥିଲା। ପୁଣି ଇଶାନ କିଶନ(୧୧) ୫୮ ରନ ସ୍କୋରରେ ପାଭିଲିୟନ ଫେରିଥିଲେ। ଅଧିନାୟକ କିରଣ ପୋଲାର୍ଡ(୧୫) ଦଳକୁ ନିରାଶ କରିଥିଲେ। ସୌରଭ ତିଓ୍ଵାରୀ କ୍ରିଜରେ ଜମି ରହିଥିଲେ ବି ଅନ୍ୟପଟେ ଓ୍ଵିକେଟ୍ ଖସିବା ସହ ରନ ଗତି ଧିମେଇ ଯାଇଥିଲା। ଶେଷ ଆଡକୁ ଆଡମ ମିଲନେ(୧୫) ଶେଷ ଓଭରରେ ଆଉଟ୍ ହୋଇଥିଲେ। ସୌରଭ ତିଓ୍ଵାରୀ ୬୦ ରନ କରି ଅପରାଜିତ ଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଶେଷରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୬ ରନ କରିଥିଲା। ଚେନ୍ନାଇ ପକ୍ଷରୁ ଡ୍ଵେନ ବ୍ରାଭୋ ୩ ଏବଂ ଦୀପକ ଚହର ୨ଟି ଓ୍ଵିକେଟ୍ ନେଇଛନ୍ତି।
