ଆଇପିଏଲ ୨୦୨୧: ମୁମ୍ବାଇକୁ ୧୫୭ ରନର ଟାର୍ଗେଟ ଦେଲା ଚେନ୍ନାଇ
ଦୁବାଇ : ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ମୁକାବିଲା ଆଜି ଠାରୁ ଆରମ୍ଭ ହୋଇଛି । ଏଥିରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ। ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଚେନ୍ନାଇ ଦଳ ପ୍ରଥମରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ନିର୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ଦଳ ୧୫୬ ରନ ସଂଗ୍ରହ କରିଛି । ଫଳରେ ମୁମ୍ବାଇକୁ ଜିତିବାକୁ ହେଲେ ୧୫୭ ରନ ଆବଶ୍ୟକ।
ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଛି । ଚେନ୍ନାଇ ପକ୍ଷରୁ ଋତୁରାଜ ଗାୟକ୍ବାଡ ଓପନିଂ ଆସି ୮୮ ରନ କରି ଅପରାଜିତ ଥିବା ବେଳେ, ଡୁ ପ୍ଲେସି ଏବଂ ମୋଇନ୍ ଅଲ୍ଲୀ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଅମ୍ବାତୀ ରାୟୁଡୁ ଖାତା ଖୋଲିବା ପୂର୍ବରୁ ଆହତ ହୋଇ ରିଟାୟର୍ଡ ହର୍ଟ ହୋଇଥିଲେ । ସୁରେଶ ରାଇନା ୪, ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୩, ରବୀନ୍ଦ୍ର ଜାଡେଜା ୨୬ ରନ କରି ଆଉଟ ହୋଇଛନ୍ତି । ଡ୍ବେନ୍ ବ୍ରାଭୋ ୮ ବଲ ଖେଳି ୨୩ ରନ କରି ଅପରାଜିତ ଅଛନ୍ତି । ଶାର୍ଦ୍ଦୁଲ ଠାକୁର ୧ ରନ କରି ଅପରାଜିତ ଅଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୩୫ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ଆଡାମ ମିଲନେ୍ ୪ ଓଭରରେ ୨୧ ରନ ୨ ଓ୍ବିକେଟ୍, ଜସପ୍ରୀତ ବୁମାରାହ ୪ ଓଭରରେ ୩୩ ରନ ୨ ଓ୍ବିକେଟ, କିରଣ ପୋଲାର୍ଡ ୨ ଓଭରରେ ୧୫ରନ, ରାହୁଲ ଚହର ୪ ଓଭରରେ ୨୨ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୨ ଓଭରରେ ୨୭ ରନ ଦେଇଛନ୍ତି ।
ସେହିପରି ମୁମ୍ବାଇର ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ଦଳ ଆଜି ପଡିଆକୁ ଓହ୍ଲାଉଛି। ଅନମୋଲପ୍ରୀତ ସିଂହଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିଥିବା ବେଳେ ଆଡମ ମିଲନେଙ୍କୁ ତୃତୀୟ ଦ୍ରୁତ ବୋଲର ଭାବେ ସ୍ଥାନ ମିଳିଛି। ଆଇପିଏଲ ୨୦୨୧ରେ ଏ ପର୍ଯ୍ୟନ୍ତ ଚେନ୍ନାଇ ସୁପରକିଙ୍ଗ୍ସ ୭ଟି ମ୍ୟାଚ୍ରୁ ୫ଟି ଜିତି ୧୦ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ସମାନ ୭ଟି ମ୍ୟାଚ୍ରୁ ୪ ବିଜୟ ସହ ଚତୁର୍ଥରେ ରହିଛି। ସୂଚନା ଯେ, ଚଳିତ ସଂସ୍କରଣରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ରୋହିତଙ୍କ ଟିମ୍ ବିଜୟୀ ହୋଇଥିଲା। ମେ’ ୧ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇ ୪ ୱିକେଟରେ ପରାସ୍ତ ହୋଇଥିଲା। ତେବେ ଆଜି ମ୍ୟାଚ୍ ଜିତି ଚେନ୍ନାଇ ପ୍ରତିଶୋଧ ନେବାକୁ ଚାହିଁବ।
