ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବେ କୁମ୍ବଲେ!
ମୁମ୍ବାଇ: ଅନୀଲ କୁମ୍ବଲେ ପୁଣି ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ । ଟି୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଛି । ତା’ପରେ ଅନୀଲ କୁମ୍ବଲେଙ୍କୁ ବିସିସିଆଇ ମୁଖ୍ୟ କୋଚ୍ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।କୁହାଯାଉଛି, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବିସିସିଆଇ ଅନୀଲଙ୍କୁ ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନ କରିବା ପାଇଁ କହିପାରେ । ୨୦୧୬-୧୭ରେ ବର୍ଷେ ପାଇଁ ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିଲେ । ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କୁ ନେଇ ଗଠିତ ତତ୍କାଳୀନ କ୍ରିକେଟ୍ ପରାମର୍ଶଦାତା କମିଟି ତାଙ୍କୁ ଏହି ନିଯୁକ୍ତି ଦେଇଥିଲା । ତେବେ ଅଧିନାୟକ ବିରାଟ କୋହଲିଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା । ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ ଦଳ ହାରିବା ପରେ ଅନୀଲ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ ।
ଆହୁରି ମଧ୍ୟ ଖବର ଆସିଛି ଯେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦବୀ ପାଇଁ ଅନୀଲ କୁମ୍ବଲେଙ୍କ ସହିତ ଭିଭିଏସ୍ ଲକ୍ଷ୍ମଣଙ୍କୁ ମଧ୍ୟ ଆବେଦନ କରିବାକୁ କହିପାରେ ବିସିସିଆଇ । ତେବେ ଅନୀଲ କୁମ୍ବଲେ ହିଁ ବିସିସିଆଇର ପ୍ରଥମ ପସନ୍ଦ ରହିଛନ୍ତି । ସେହିଭଳି କୌଣସି ବିଦେଶୀ ଖେଳାଳିଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେବାକୁ ବିସିସିଆଇ ଦ୍ୱିତୀୟ ବିକଳ୍ପ ଭାବେ ରଖିଛି । ଏନ୍ଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ସେତେବେଳେ ଅନୀଲ କୁମ୍ବଲେଙ୍କ ସହିତ ଯେଉଁ ଅନ୍ୟାୟ କରାଯାଇଥିଲା, ତାକୁ ସୁଧାରିବାକୁ ଚାହୁଁଛି ବିସିସିଆଇ । ସେତେବେଳେ ସେ ଯେଉଁ ଢଙ୍ଗରେ ମୁଖ୍ୟ କୋଚ୍ ପଦବରୁ ବାହାରି ଯାଇଥିଲେ, ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିଥିଲା । ତେବେ କୁମ୍ବଲେ ଏହି ପଦ ପାଇଁ ଆବେଦନ କରିବେ କି ନାହିଁ, ତାହା ତାଙ୍କ ଉପରେ ନିର୍ଭର କରେ । ସୂଚନାଯୋଗ୍ୟ, ଟି୨୦ ଅଧିନାୟକ ପଦ ଛାଡ଼ିବାକୁ ବିରାଟ କୋହଲି ଘୋଷଣା କରିଛନ୍ତି । ଟି୨୦ ବିଶ୍ୱକପ୍ ପରେ ସେ ଏହି ପଦ ଛାଡ଼ିବେ ।
